୭ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର, ଟିଡିସିସି ର ୩୬.୩୯ କୋଟି ଋଣ ସୁଝିବେ ସରକାର

ଭୁବନେଶ୍ୱର : ରାଜ୍ୟ ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ( ଟିଡିସିସି)ର ବକେୟା ଥିବା ୩୬.୩୯ କୋଟି ଟଙ୍କାର ଋଣକୁ ରାଜ୍ୟ ସରକାର ପରିଶୋଧ କରିବେ। ଜନଜାତି ବର୍ଗର ଲୋକଙ୍କ ବନ୍ୟଜାତ ଓ କୃଷିଜାତ ଦ୍ରବ୍ୟର ବିକ୍ରିକୁ ସୁଗମ କରିବା ନିମନ୍ତେ ଟିଡିସିସିକୁ ସୁଦୃଢ଼ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଟିଡିସିସିର ବକେୟା ୩୬.୩୯କୋଟି ଟଙ୍କାକୁ ପରିଶୋଧ ପ୍ରସ୍ତାବ ସହ ଓଡ଼ିଶା ଉଦ୍ୟାନ କୃଷି ସେବା(ନବନିଯୁକ୍ତ ପଦ୍ଧତି ଓ ସେବା ସର୍ତ୍ତ) ସଂଶୋଧନ ନିୟମ-୨୦୧୮ ସମେତ ମୋଟ ୭ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତେବେ ଏଥିରେ ଅଧିକାଂଶ ପ୍ରସ୍ତାବ ଚାକିରି ସର୍ତ୍ତାବଳୀ ଓ କ୍ୟାଡର ପୁର୍ନଗଠନ ସହ ଜଡ଼ିତ। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ କ୍ୟାବିନେଟରେ ଆଜି ମୋଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ଉଦ୍ୟାନ କୃଷି ସେବା(ନବନିଯୁକ୍ତ ପଦ୍ଧତି ଓ ସେବା ସର୍ତ୍ତ) ସଂଶୋଧନ ନିୟମ-୨୦୧୮କୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।
କୃଷି ଉପଦର୍ଶକ ଓ ପ୍ରଦର୍ଶନ ସହାୟକ ପଦବୀ ପାଇଁ ଉଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନକୁ କୋହଳ କରାଯାଇଛି। ଏଥିପାଇଁ ନିୟମରେ ଥିବା ଧାରା-୨(ଗ)କୁ ଅପସାରଣ କରାଯାଇଛି।ସେହିପରି ଓଡ଼ିଶା ମତ୍ସ୍ୟ ସେବା ନିଯୁକ୍ତି ସର୍ତ୍ତାବଳୀ ସଂଶୋଧନ, ଜିଓଲୋଜି କ୍ୟାଡରର ପୁର୍ନଗଠନ, ଓଡ଼ିଶା ମଙ୍ଗଳସେବା ଓ ଓଡ଼ିଶା ଅଧସ୍ତନ ମଙ୍ଗଳ ସେବାର ପୁନର୍ଗଠନ, ଭୂତତ୍ତ୍ୱବିତ୍ ସେବା କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।