ବଜେଟ ରିଆକସନ୍ : କେଉଁ ଦଳ ପାଇଁ କମିତି


ବିକାଶ କେନ୍ଦ୍ରିକ ବଜେଟ : ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର : ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ ବାସ୍ତବ ଭାବେ ବିକାଶକେନ୍ଦ୍ରିକ, ଚାଷୀ, ଗରିବ, ମହିଳା, ଯୁବ ଓ ଅନୁସୂଚିତ ଜାତି-ଜନଜାତି ବର୍ଗର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିବା ବଜେଟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
କାଳିଆ ଯୋଜନା, କାଳିଆ ବୃତ୍ତି ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପିଲାଙ୍କ ବୃତ୍ତି, ଆମ ଗାଁ ଆମ ବିକାଶ, ମଧୁବାବୁ ପେନସନ ଯୋଜନା, ଗୃହନିର୍ମାଣ, ପାନୀୟ ଜଳ, ସମସ୍ତଙ୍କ ପାଇଁ ବିଦ୍ୟୁତ, ନିଯୁକ୍ତି ସୃଷ୍ଟି ଓ ରାଜସ୍ୱ ସୃଷ୍ଟି ଏବଂ ମେକ୍ ଇନ୍ ଓଡ଼ିଶା ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବା ପାଇଁ ବଜେଟରେ ଆବଶ୍ୟକ ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ବଜେଟ ତଥ୍ୟ ଉପରେ ଆଦାରିତ ନୁହେଁ: କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାର ଆଗତ କରିଥିବା ବଜେଟ ତଥ୍ୟ ଓ ସତ୍ୟ ଉପରେ ଆଧାରିତ ନୁହେଁ । ଅର୍ଥମନ୍ତ୍ରୀଙ୍କ ବିବରଣୀରୁ ଜଣା ପଡୁଛି ଏହା କାମଚଳା ବଜେଟ । ଏହା କେବଳ ନିର୍ବାଚନକୁ ଆଖିରେ ରଖି । ବଜେଟକୁ ନେଇ ସରକାର ରାଜନୀତି କରୁଛନ୍ତି । ସରକାର ରାଜ୍ୟ ବିକାଶ ଲାଗି କିଛି ତଥ୍ୟ ରଖି ନାହାନ୍ତି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ବଜେଟ ସବୁ ବର୍ଗଙ୍କୁ ନିରାଶ କରିଛି : ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାର ଆଗତ କରିଥିବା ବଜେଟରେ କୌଣସି ନୂଆ ଘୋଷଣା ନାହିଁ। ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଉଦ୍ୟମ ହୋଇଛିି ଓ ସବୁବର୍ଗଙ୍କୁ ନିରାଶ କରାଯାଇଛି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତିା
ଶ୍ରୀ ମହାନ୍ତି କହିଛନ୍ତି କି ଏହି ବଜେଟର ରୂପରେଖ ହେଉଛି ପୁରୁଣା ବୋତଲରେ ନୁଆ ଲେବଲ ଲାଗିବା ଭଳିା ନିର୍ବାଚନ ପୂର୍ବରୁ ବୋଧହୁଏ ଏହି ବଜେଟ ତାଙ୍କର ଶେଷ ବଜେଟ ବୋଲି ମୁଖ୍ୟମନ୍ତ୍ରୀ ଜାଣିସାରିଲେଣି। ସେଥିପାଇଁ ବଜେଟ୍ ପ୍ରସ୍ତୁତିରେ ନବୀନ ବାବୁଙ୍କର ଉତ୍ସାହ କମିଯାଇଛି । କୌଣସି ନୂଆ ଘୋଷଣା ଏହି ବଜେଟରେ ନକରିବା ସରକାରଙ୍କର ମନୋବଳ ଭାଙ୍ଗିଯାଇଥିବା କଥାକୁ ପ୍ରମାଣିତ କରୁଛି।

୨୦୧୮-୧୯ ରେ ଯୋଜନା ବ୍ୟୟ ଥିଲା ୬୭ ହଜାର କୋଟି। କିନ୍ତୁ ୨୦୧୯-୨୦ରେ ଏହା ୬୬ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୧୮-୧୯ର ମୋଟ ବଜେଟ ଅପେକ୍ଷା ୨୦୧୯-୨୦ ମୋଟ ବଜେଟରେ ୧୦% ବୃଦ୍ଧି ପାଇଛି। ସେହି ଅନୁସାରେ ଯୋଜନା ବ୍ୟୟ ମଧ୍ୟ ୧୦% ବୃଦ୍ଧି ପାଇବା କଥା। ୬୭ ହଜାର କୋଟିରୁ ଏହା ୭୩,୭୦୦ କୋଟି ହେବା କଥା। କିନ୍ତୁ ଆଶ୍ଚର‌୍ୟ୍ୟର ବିଷୟ ଏହା ବରଂ ୨୦୧୮- ୧୯ ଅପେକ୍ଷା ଆହୁରି ୧୦୦୦ କୋଟି ଟଙ୍କା କମିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟର ଭିତ୍ତିଭୁମି ବିକାଶଠାରୁ ଆରମ୍ଭ କରି ସମସ୍ତ ଜନକଲ୍ୟାଣ ଯୋଜନା ସବୁ ଯୋଜନା ବ୍ୟୟରୁ ହିଁ ହୋଇଥାଏ। ହଜାରେ କୋଟି ଟଙ୍କାର ହ୍ରାସ ହିସାବକୁ ନେଲେ ମୋଟ ଯୋଜନା ବ୍ୟୟ ପାଖାପାଖି ୭ ହଜାର କୋଟି ଟଙ୍କା କାହିଁକି କମିଛି ବୋଲି ସେ ପ୍ରଶ୍ନ କରିଛନ୍ତି।