୧୦ ଜୁନରେ ଓଡ଼ିଆ ପୁଅ ବା ଝିଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ: ମୋଦି

ଅନୁଗୁଳ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ

୨ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀ ବଡ଼ଦାଣ୍ଡରେ କରିଛନ୍ତି ବିଶାଳ ରୋଡ ସୋ’ । ଏହାପରେ ସେ ସିଧାସଳଖ ଅନୁଗୁଳରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ।

ଅନୁଗୁଳ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପୁରୀରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଲା ଏବଂ ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ମାଗିଲି । ଏହାସହ ଅନୁଗୁଳ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶା କଳାର ଧାମ, ପ୍ରତି ପରିବାରରେ କଳା ରହିଛି । ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛି । ସକାଳ ଦଶଟାରେ ଏ ଭିଡ଼ ଦେଖି ମୁଁ ଅଭିଭୂତ । ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି । ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି ।

କେବଳ ଏତିକି ନୁହେଁ, ବିଜେଡି ସରକାର ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି । ଓଡ଼ିଶାକୁ ଡିଏମ୍‌ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ । ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ । ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି । ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର । ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ବାରା ଘେରି ରହିଛି ।

ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର । ଅନୁଗୁଳ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ । ସାରା ଦେଶବାସୀ ମୋଦି ସରକାରଙ୍କୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି । ନିର୍ବାଚନୀ ପର୍ବରେ ନବଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି । ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପୁଣି ବିଜେପିର ମୁଖ୍ୟମନ୍ତ୍ରୀ ୧୦ ଜୁନରେ ଶପଥ ନେବା କଥା ମଧ୍ୟ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ୧୦ ଜୁନରେ ଓଡ଼ିଆ ପୁଅ ବା ଝିଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।