ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତା : ସ୍ମୃତି ପଟ୍ଟନାୟକ
ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଏବଂ ପ୍ରଭାରୀ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଜ୍ୱଳା, ବେଟି ବଚାଓ-ବେଟି ପଢାଓ, ଜନନୀ ସୁରକ୍ଷା ଯୋଜନା, ପୋଷଣ ଯୋଜନା, କିଶୋରୀ ଶକ୍ତି ଯୋଜନା, ସ୍ଟେପ୍, ସ୍ୱଧାର ଗୃହ ଆଦି ବହୁ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ କରିଛନ୍ତି। ସେହିପରି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏ ସମସ୍ତ ଯୋଜନାର ସୁଫଳ ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନେ ପାଇବାରୁ ବଂଚିତ ହେଉଛନ୍ତି । ଅନ୍ୟ ପଟେ ମୋଦି ସରକାରଙ୍କ ପ୍ରତ୍ୟେକ ଯୋଜନାକୁ କପି-ପେଷ୍ଟ କରି ରାଜ୍ୟରେ ଶାସକ ବିଜେଡି ରାଜ୍ୟବାସିଙ୍କୁ ଭ୍ରମିତ କରିବାର ପ୍ରଚେଷ୍ଟା ଜାରୀ ରଖିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଓଡିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଶାସକ ବିଜେଡି ପ୍ରତାରଣ କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି ।
କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଆଗାମୀ ଦିନରେ ଘର ଘର ବୁଲି ରାଜ୍ୟବାସୀଙ୍କୁ ଅବଗତ କରାଇବା ସହ ସଚେତନ କରାଇବେ ବୋଲି ଶ୍ରୀମତୀ ପଟ୍ଟନାୟକ ସୁଚନା ଦେଇ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ମହିଳା ମୋର୍ଚ୍ଚାର ସଂଗଠନକୁ ଆହୁରୀ ଅଧିକ ସୁଦୃଢ କରିବା ପାଇଁ ବୈଠକରେ ଯୋଗ ଦେବା ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ବୈଠକରେ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦଶମତୀ ଛତରଙ୍କ ସମେତ ମହିଳା ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।