ରାଜ୍ୟର ଗରିବ ଲୋକଙ୍କ ପ୍ରତି ଥିବା ଦାୟିତ୍ୱକୁ ରାଜ୍ୟରେ ବିରୋଧୀ ଦଳ ଓ କେନ୍ଦ୍ରରେ ଦୁଇ ମନ୍ତ୍ରୀ ପୁରଣ କରିବେ : ବିଜେପି

୧୨୦ + ମିଶନ ସେହି ପର୍ଯ୍ୟନ୍ତ ଅଛି, ଯେ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ଭାରତୀୟ ଜନତା ପାର୍ଟିର ପୂରଣ ହୋଇନାହିଁ ଏବଂ ବିଜେପି ଏହି ଦାୟିତ୍ୱରୁ ମୁକ୍ତି ହୋଇପାରିବ ନାହିଁ – ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ଦଳର ସମସ୍ତ ବିଧାୟକ ଏବଂ ସାଂସଦ ଏବଂ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ଦୁଇ ଓଡିଆ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗିଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ସ୍ୱାଗତ ସଭାରେ ଦଳର ପ୍ରମୁଖ ନେତୃବୃନ୍ଦ ମାନେ ନବ ନିର୍ବାଚିତ ସାଂସଦ ଓ ବିଧାୟକ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।
ରାଜନୈତିକ କାର୍ଯ୍ୟକର୍ତାମାନେ ଯେତେବେଳେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିଜ ବିଚାର ଧାରା ଅନୁଯାୟୀ ଅକ୍ତିଆର ନକରିପାରେ, ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବା ଦରକାର । ୧୨୦ + ମିଶନ ସେହି ପର୍ଯ୍ୟନ୍ତ ଅଛି, ଯେ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ଭାରତୀୟ ଜନତା ପାର୍ଟିର ପୂରଣ ହୋଇନାହିଁ ଏବଂ ବିଜେପି ଏହି ଦାୟିତ୍ୱରୁ ମୁକ୍ତି ହୋଇପାରିବ ନାହିଁ ବୋଲି ଭୁବନେଶ୍ୱର ଠାରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେବା ଅବସରରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗଣତନ୍ତ୍ରରେ ଜନତାର ପୂଜା ନେତା କରିବା ଉଚିତ୍ । ଅକ୍ଲାନ୍ତ ପରିଶ୍ରମ କରିଥିବା କାର୍ଯ୍ୟକର୍ତାଙ୍କ ପାଇଁ ବିଜେପିର ଏହି ବିଜୟ ସମ୍ଭବ ହୋଇଛି । ବ୍ୟକ୍ତିଗତ ଉଦ୍ୟମରେ କେହି ସଫଳ ନେତା ହୋଇପାରିବେ ନାହିଁ । ମନ୍ତ୍ରୀ ହେବା ପରେ ଦାୟୀତ୍ୱବୋଧ ବଢିଛି ଏବଂ ଏହି ଦାୟୀତ୍ୱକୁ ସୂଚାରୁପୂପେ ତୁଲାଇବେ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।

ରାଜ୍ୟ ବିଜେପିର ନବ ନିର୍ବାଚିତ ସାଂସଦ ଏବଂ ବିଧାୟକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି ଏବଂ ୨ ଜଣ ଓଡିଆଙ୍କୁ ମନ୍ତ୍ରୀ ପଦ ମିଳିଛି । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଏମଏସଏମଇ ଓ ମତ୍ସ୍ୟ ପଶୁସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗି ଦେଶ ସହ ରାଜ୍ୟର ବିକାଶ କରିବେ ବୋଲି ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ଓଡିଶାର ମାନ ସମ୍ମାନ, ଇଜ୍ଜତକୁ ରକ୍ଷା କରିବା ପାଇଁ ବିଜେପି ତାର ଲଢେଇ ଜାରି ରଖିବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱ ଭୁଷଣ ହରିଚନ୍ଦନ ।
ଗତ ୨୦୧୪ ନିର୍ବାଚନରେ ବିଜେପି ଦଳକୁ ୫୦ ଲକ୍ଷ ଭୋଟ ମିଳଥିଲା । ଏବେ ଏହା ବୃଦ୍ଧି ପାଇ ୯୧ ଲକ୍ଷରେ ପହଂଚିଛି । ଓଡିଶା ବାସୀ ବିଜେପିକୁ ଆର୍ଶୀବାଦ ଦେଇଛନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ପୂରଣ କରି ରାଜ୍ୟରେ ବିଜେପିକୁ ଏକ ନମ୍ବର ଦଳରେ ପରିଣତ କରାଯିବ ବୋଲି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।

ରାଜ୍ୟ ପ୍ରଭାରି ଶ୍ରୀ ଅରୁଣ ସିଂହ ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜେପି କାର୍ଯ୍ୟକର୍ତାମାନେ ବର୍ଷ ବର୍ଷ ଧରି କାର୍ଯ୍ୟ କରିବା ଦ୍ୱାରା ଆଜି ବିଜେପି ଏହି ସ୍ଥାନରେ ପହଂଚିଛି । ବିରୋଧୀ ଦଳର ସ୍ଥାନ ପାଇଥିବାରୁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଶ୍ରୀ ସିଂହ ଅଭିନନ୍ଦନ ଜଣାଇଛନ୍ତି ।


ରାଜ୍ୟ ସଭାପତି ଏବଂ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, କନକ ବର୍ଦ୍ଧନ ସିଂହଦେଓ, ବିଜୟ ମହାପାତ୍ର, ଡା.ଦାମୋଦର ରାଉତ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ନବନିର୍ବାଚିତ ସାଂସଦ ଏବଂ ବିଧାୟକମାନଙ୍କ ସହ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)