ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ :ସମୀର ମହାନ୍ତି

ଆବାସ ଯୋଜନା ପ୍ରସଙ୍ଗ

ଭୁବନେଶ୍ୱର:  ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ଏହି ଯୋଜନାରେ ଓଡିଶାକୁ ବର୍ତମାନ ସୁଦ୍ଧା ୩୦ ଲକ୍ଷ ପକ୍କା ଘର ଆସିଛି । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଘର ଖଣ୍ଡେ ପାଇବାରୁ ବଂଚିତ ରହିଛନ୍ତି । ଏହାକୁ ବିରୋଧ କରିବାରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ଗ୍ରାମପଂଚାୟତରେ ସରକାରୀ କଳକୁ ଲଗାଇ ଶାସକ ବିଜେଡି ଗରିବ ହିତାଧିକାରୀଙ୍କ ଉପରେ ଆକ୍ରମଣ କରିଛି । ପୁଲିସ ମଧ୍ୟ ଏଥିରେ ସାମିଲ ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ଗିରଫ କରିଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗତକାଲି ଭଦ୍ରକ ଗସ୍ତ କରି ସରଜମିନ ତଦନ୍ତ କରିବା ପରେ ଏଭଳି ଘଟଣାକୁ ଦୃଢ ଭାବେ ନିନ୍ଦା କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ଗ୍ରାମପଂଚାୟତ ଗସ୍ତ କରିଥିଲେ । ସେଠାରେ ଶ୍ରୀ ମହାନ୍ତି ପକ୍କା ଘର ପାଇବା ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ଗିରଫ ହୋଇଥିବା ସାଧାରଣ ଲୋକଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । କୁବେରା ପଂଚାୟତର ଅନେକ ଲୋକ ପକ୍କା ଘର ପାଇବାରୁ ବଂଚିତ ଅଛନ୍ତି । ଭଣ୍ଡାରିପୋଖରୀରେ ମଧ୍ୟ ୮ ଟି ପରିବାରକୁ ପକ୍କା ଘର ମିଳିନାହିଁ । ଏବାବଦରେ ପ୍ରଶାସନ ପାଖରେ ଗୁହାରୀ ଜଣାଇଲେ ବି କିଛି ଫଳପ୍ରଦ ହେଉନାହିଁ । ପକ୍କା ଘର ବଂଟନରେ ଅନିୟମିୟତା କରିଥିବା ସରକାରୀ ବାବୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏହା ବିରୁଦ୍ଧରେ ବିଜେପି କାର୍ଯ୍ୟକର୍ତାମାନେ ପ୍ରତିରୋଧ କଲେ ପୁଲିସ ନାଲିଆଖି ଦେଖାଉଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲିବାରୁ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରାଯାଇଛି । ପୁଲିସ ରାତି ଅଧରେ ଗ୍ରୀଲ ତାଡି ଘରେ ପଶି ସାଧାରଣ ଲୋକଙ୍କୁ ଅମାନୁଷିକ ଭାବେ ଗିରଫ କରିଛି । ଗଣତନ୍ତ୍ରରେ ବିରୋଧ କଲେ ପୁଲିସ ଏପରି ଅମାନବୀୟ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପକ୍କା ଘର ବଂଟନରେ ଭଦ୍ରକ ଜିଲ୍ଲା ତିହିଡି ଅଂଚଳରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଅଂଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳି ନାହିଁ । ଗୋଟିଏ ଘରେ ମଣିଷ ଓ ଗୃହପାଳିତ ପଶୁ ଏକାଠି ରହୁଛନ୍ତି । କଚ୍ଚା ଘରେ ଲୋକ ପାଲ ଟାଣି ରହୁଛନ୍ତି । କିନ୍ତୁ ଅଯୋଗ୍ୟ ହିତାଧିକାରୀ, ଧନିକ ଶ୍ରେଣୀ ଏବଂ ବିଜେଡି କର୍ମୀମାନଙ୍କୁ ପକ୍କା ଘର ବଂଟନ କରାଯାଇଛି । ଆବାସ ଯୋଜନାରେ ମହାଦୁର୍ନୀତି ହୋଇଛି ବୋଲି କେନ୍ଦ୍ରୀୟ ଟିମ୍ ଜଣାଇବା ପରେ ବି ରାଜ୍ୟ ସରକାର କାହିଁକି ପକ୍କାଘର ବଂଟନ କେଳେଙ୍କାରୀରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିରେ ଯେଉଁ ପ୍ରଶାସନିକ ଅଧିକାରୀମାନଙ୍କର ହାତ ରହିଛି ସେମାନଙ୍କୁ ପୁଲିସ କେବେ ଗିରଫ କରିବ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାରକେବଳ ନିର୍ବଚନ ବୈତରଣୀ ପାର୍ ହେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଗତ ନିର୍ବାଚନରେ ରାଜ୍ୟ ସରକାର ପିଠା ଯୋଜନା କରିଥିଲେ । ସେହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଜି ଯାଏଁ ପକ୍କା ଘର ମିଲିଲା ନାହିଁ । ପକ୍କା ଘର ବଂଟନରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ପୂର୍ବରୁ ଅଭିଯୋଗ କରିଥିଲା । ବେଗୁନିଆ ପଂଚାୟତରେ କେବଳ ଜଣେ ପିଇଓଙ୍କୁ ନିଲମ୍ବନ କରିପ୍ରଶାସନ ଚୁପ୍ ବସିଛି ।
ପ୍ରତିନିଧୀ ଦଳ ତିହିଡ ବ୍ଲକ ଅଧ୍ୟକ୍ଷାଙ୍କ ନୂଆପାଟଣା ଗାଁକୁ ଯାଇି ବିଭିନ୍ନ ଅବ୍ୟବସ୍ଥା ଦେଖିଛନ୍ତି । ତିହିଡି ବ୍ଲକ ଅଧ୍ୟକ୍ଷାଙ୍କ ନିଜ ଗ୍ରାମରେ ବିଜୁଳୀ ପହଂଚି ପାରି ନାହିଁ । ନାଳ ନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି । ଚତୁର୍ଦ୍ଦଶ ଅର୍ଥ କମିଶନରେ ମୋଦି ସରକାର ପ୍ରତି ପଂଚାୟତକୁ ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ଅର୍ଥକୁ ହରିଲୁଟ୍ କରୁଛନ୍ତି । ଚତୁର୍ଦ୍ଦଶ ଅର୍ଥ କମିଶନରେ ଆସିଥିବା ଅର୍ଥ କୁଆଡେ ଗଲା ଏବଂ କାହିଁକି ଖର୍ଚ୍ଚ ହୋଇନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଜଣେ ବି ଅଯୋଗ୍ୟ ହିତାଧିକାରୀକୁପକ୍କା ଘର ନଦିଆଯାଉ । ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିବା ସହ ଶେଷ ଯୋଗ୍ୟ ହିତାଧିକାରୀ ଘର ନପାଇବା ଯାଏଁ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।