ଭୁବନେଶ୍ୱର : ରାଜ୍ୟରେ ରବି ଫସଲ ଧାନ ପ୍ରୋକ୍ୟୋରମେଂଟ ଅତ୍ୟନ୍ତ ଅବ୍ୟବସ୍ଥିତ ହୋଇଛି । ଗତ ଖରିଫ ଫସଲ ସିଜନ ସମୟରୁ ସରକାରଙ୍କ ପରିଚାଳନାଗତ ଭୁଲ୍ ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ବିଧାନସଭାରେ ବିଜେପି ବିଧାୟକମାନ ଏହି ପ୍ରସଙ୍ଗ ଉଠାଇବା ସତ୍ୱେ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ନାହିଁ । ସେଂଟ୍ରାଲାଇଜଡ୍ ଟୋକନ ବ୍ୟବସ୍ଥା, ଯୋଗାମ ନିଗମ ତଥା ଜିଲ୍ଲା ପ୍ରୋକ୍ୟୋରମେଂଟ ବ୍ୟବସ୍ଥାରେ ତାଳମେଳ ଅଭାବ ଥିବାରୁ ଚାଷୀଙ୍କ ଠାରୁ ଧାନ କିଣାଯାଇ ପାରୁ ନାହିଁ । ଧାନ କିଣାର ସଂପୂର୍ଣ୍ଣ ବ୍ୟବସ୍ଥା ମିଲରମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରୁ ନାହିଁ । ପଂଜୀକରଣ କରିଥିବା ଚାଷୀଙ୍କୁ ଟୋକନ ମିଳୁନାହିଁ । ମଣ୍ଡିରେ ଧାନ ଉଠୁନଥିବା ଯୋଗୁଂ ଚାଷୀ ବାଧ୍ୟ ହୋଇ କ୍ୱିଂଟାଲ ଧାନକୁ ୧୨୦୦/୧୩୦୦ ଟଙ୍କାରେ ବିକ୍ରି କରୁଛି । ରବି ଫସଲର ଧାନ କ୍ରୟ ପାଇଁ ରାଜ୍ୟର ସମସ୍ତ ମଣ୍ଡିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି ବିଜେପି ବିଧାୟକଗଣ ।
ମୋଦି ସରକାର ଘୋଷଣା କରିଥିବା ଏମଏସପି ଅନୁସାରେ ରାଜ୍ୟ ସରକାର ଚାଷୀଙ୍କ ଧାନ କିଣୁ ନାହାଁନ୍ତି । ଚାଷୀ ପାଖରେ କେନ୍ଦ୍ର ସରକାର ପଠାଉଥିବା ଅର୍ଥ ପହଂଚୁ ନାହିଁ । ରାଜ୍ୟରେ ଥିବା ବିଭିନ୍ନ ଚାଷୀ ସଙ୍ଗଠନ ସହ ବିଜେପି କଥା ହୋଇଛି । ସମସ୍ତଙ୍କର ଦାବି ଥିଲା କି, ମଣ୍ଡିର ସମୟସୀମାକୁ ବୃଦ୍ଧି କରାଯାଉ ଏବଂ ପଂଜୀକୃତ ଚାଷୀଙ୍କୁ ଟୋକନ୍ ଦିଆଯାଉ । ମିଲର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ବନ୍ଦ କରାଯାଉ । ରାଜ୍ୟର ସମସ୍ତ ଚାଷୀଙ୍କ ଠାରୁ ସରକାର ଧାନ କିଣନ୍ତୁ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି ।
odisha bjp pc on paddy procurement