ରାଜ୍ୟସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତି ଆତ୍ମଘାତୀ ସଦୃଶ୍ୟ : ବିଷ୍ଣୁ ସେଠୀ

ଭୁବନେଶ୍ୱର : ପାଠ ପଢିବା ପିଲାମାନଙ୍କର ମୌଳିକ ଅଧିକାର । କିନ୍ତୁ ରାଜ୍ୟସରକାର ଏଠି ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବା ପାଇଁ ପ୍ରୟାସ କରୁଛନ୍ତି । କେନ୍ଦ୍ରସରକାର ଶିକ୍ଷା ଅଧିକାର ଆଇନ ଲାଗୁ କରିଥିବାବେଳେ ରାଜ୍ୟସରକାର ଏଠି ବାଧକ ସାଜୁଛନ୍ତି । ରାଜ୍ୟସରକାର କମ୍ ସଂଖ୍ୟକ ଛାତ୍ର ଥିବା ଦର୍ଶାଇ ପାଖାପାଖି ସାଢେ ୭ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ଚରଣ ସେଠୀ କହିଛନ୍ତି ।
ଶ୍ରୀ ସେଠୀ କହିଛନ୍ତି ଯେ, ରାଜ୍ୟରେ ସାଢେ ୧୧ ହଜାର ସ୍କୁଲ ବନ୍ଦ ନିଷ୍ପତି ଆତ୍ମଘାତୀ ହେବ । ଏଭଳି ନିଷ୍ପତି ଅଗଣତାନ୍ତ୍ରିକ । ବିଦ୍ୟାଳୟ ଗୁଡିକୁ ବନ୍ଦ କରାଗଲେ ଏହାର ପ୍ରଭାବ ପଶ୍ଚିମ ଓଡିଶାରେ ଅଧିକ ପଡିବ । କେବଳ କୋରାପୁଟରେ ୮୦୦ ସ୍କୁଲ ବନ୍ଦ ହୋଇଯିବାର ଆଶଙ୍କା ରହିଛି । ପିଲାମାନେ ନିଜ ଗାଁ ସ୍କୁଲ ଛାଡି ଅନ୍ୟ ଗାଁକୁ ଯାଇ ପାଠ ପଢିବା ସମ୍ଭବ ହେବ ନାହିଁ । ଏହାଦ୍ୱାରା ଅଧିକାଂଶ ପିଲା ପାଠ ଅଧାରୁ ଛାଡିବେ ଏବଂ ରାଜ୍ୟରେ ଡ୍ରପ ଆଉଟ ହାର ବୃଦ୍ଧି ପାଇବ ।
ପ୍ରତିବର୍ଷ ୧୧ ଲକ୍ଷ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇଲା ବେଳେ ମେଟ୍ରିକ ପରୀକ୍ଷା ବେଳକୁ ଏହା କମି ୬ ଲକ୍ଷରେ କାହିଁକି ପହଂଚିଯାଏ ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଛନ୍ତି । ପିଲାମାନଙ୍କର ବାଧ୍ୟତାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟସରକାର ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି ।