ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ

ସ୍ୱର୍ଗତଃ ଗନ୍ତାୟତଙ୍କ ଅକାଳ ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି : ସମୀର ମହାନ୍ତି

ଭୂବନେଶ୍ୱର : ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାର୍ଟୀର ବରିଷ୍ଠ ନେତା ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ମୁମ୍ବାଇଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ନିଧନ ଘଟିଛି । ତାଙ୍କ ପାର୍ଥୀବ ଶରୀର ବିମାନ ଯୋଗେ ଭୂବନେଶ୍ୱର ପହଂଚିବା ପରେ ସିଧାସଳଖ ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଓମ୍ ପ୍ରକାଶ ରାୟ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବିରଂଚି ନାରାୟଣ ତ୍ରିପାଠୀ, ଠାକୁର ରଣଜିତ୍ ଦାସ୍‌, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ମିଶ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଦଳୀୟ ପତାକା ଘୋଡାଉ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ସ୍ୱର୍ଗତଃ ଗନ୍ତାୟତଙ୍କ ପାର୍ଥୀବ ଶରୀରକୁ ତାଙ୍କ ଖଣ୍ଡଗିରିସ୍ଥିତ ବାସଭବନକୁ ନିଆଯାଇଥିଲା ।

 ରାଜ୍ୟ କାର୍ଯ୍ୟାଳୟରେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
 ରାଜ୍ୟ ସଭାପତିଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ସ୍ୱର୍ଗତଃ ଗନ୍ତାୟତ ବାଲ୍ୟ ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାରଧାରାରେ ଅନୁପ୍ରାଣିତ ହୋଇ ପରବର୍ତୀ ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇ ରାଜ୍ୟ ସଂପାଦକ ଭଳି ବହୁ ଗୁରୁଦାୟୀତ୍ୱ ବହନ କରିଥିଲେ । ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଥିବା ସ୍ୱର୍ଗତଃ ଗନ୍ତାୟତ ଜରୁରୀକାଳୀନ ସମୟରେ ମିସା ଆଇନରେ ଗିରଫ ହୋଇ ୧୯ ମାସ ଜେଲରେ ଥିଲେ । ଗୁଜୁରାଟରେ ଥିବା ଓଡିଆ ପ୍ରବାସୀଙ୍କୁ ଏକାଠି କରି ବହୁ ସମାଜ ସେବା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଜଣେ ସୁସଂଗଠକ ଭାବେ ପାର୍ଟୀର ବହୁ ଗୁରୁଦାୟୀତ୍ୱ ସୁଚାରୁ ରୂପେ ନିର୍ବାହ କରିଥିବା ସ୍ୱର୍ଗତଃ ଗନ୍ତାୟତଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଶୋକବ୍ୟକ୍ତ କରି କହିଛନ୍ତି ।
ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ ପାଇଁ ଶ୍ରୀ ମହାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

odisha bjp Condolence to Subash Gantayat