ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କଲା ବିଜେପି
ବାଲେଶ୍ବର ସଦରରୁ ମାନସ ଦତ୍ତ, ତିର୍ତ୍ତୋଲରୁ ରାଜକିଶୋର ବେହେରା ବିଜେପି ପ୍ରାର୍ଥୀ
ଭୁବନେଶ୍ୱର : ବାଲେଶ୍ୱର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଦଳ ପ୍ରାର୍ଥୀ ନାଁରେ ମୋହର ମାରିଛି । ବାଲେଶ୍ବର ସଦରରୁ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ନାଁରେ ମୋହର ମାରିଛି ଦଳ । ଆଉ ଏ ହେଉଛି ପ୍ରାର୍ଥୀ ଘୋଷଣା ପରେ ବାଲେଶ୍ବର ଓ ତିର୍ତ୍ତୋଲର ଦୃଶ୍ୟ । ବାଲେଶ୍ବର ସଦର ବିଧାନସଭା ଆସନ ବିଜେପି ହାତରେ ଥିଲା । ମାନସଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାତେଇବାକୁ ବିଜେପି ରଣନୀତି କରିଛି ।ଏହା ସହ ମଦନ ମୋହନ ଦତ୍ତଙ୍କ ସଂଗଠନକୁ ନେଇ ତାଙ୍କ ପୁଅ ଆଗକୁ ବଢିବେ ଓ ଦଳ ପାଇଁ ଏହା ଗଡ ରକ୍ଷା କରିବାରେ ସହଜ ହେବ ବୋଲି କୁହାଯାଉଛି । ସେପଟେ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ଲଢିବାକୁ ମଇଦାନକୁ ଛାଡିଛି ଦଳ । ୨୦୦୯ ଓ ୨୦୧୪ରେ ରାଜକିଶୋର କଂଗ୍ରେସରୁ ଲଢିଥିଲେ । ବିଜେପି ସଙ୍ଗଠନ ଓ ନିଜ ସଙ୍ଗଠନକୁ ମିଶାଇ ନିର୍ବାଚନ ମଣ୍ଡଳୀ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ରାଜକିଶରୋ ।