୭୮ ଦିନର କାର୍ଯ୍ୟବନ୍ଦ ପରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ

କଟକ :  ଶେଷରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ।  ୩ ଅଭିଯୁକ୍ତ ପୁଲିସ କର୍ମଚାରୀ ଆଜି ହୋଇକୋର୍ଟରେ ଉପସ୍ଥିତ ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲାପରେ ୭୮ ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନରୁ  ଓହରିଛନ୍ତି ଆଇନଜୀବୀମାନେ । ଆସନ୍ତାକାଲିଠାରୁ ସମସ୍ତ ଆଇନଜୀବୀ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନ ସଭାପତି ।  ସେପଟେ  ଅକ୍ଟୋବର ୨୯ ତାରିଖରେ ଘଟିଥିବା ଘଟଣାକ୍ରମକୁ ନେଇ ହାଇକୋର୍ଟ ବାର ତରଫରୁ ମଧ୍ୟ ଦୁଃଖ ପ୍ରକାଶ କରାଯାଇଛି । ଓକିଲଙ୍କ ଉପରେ ହେଉଥିବା ଆକ୍ରମଣ ଭଳି ଘଟଣାକୁ କିପରି  ରୋକିହେବେ , ସେନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏସଂକ୍ରାନ୍ତରେ ଆଡଭୋକେଟ ଜେନେରାଲ ଏକ ରିପୋର୍ଟ ପ୍ରସ୍ତୁତ କରି ୧୫ ଦିନ ଭିତରେ ଦାଖଲ କରିବାଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

୭୮ ଦିନ କୋର୍ଟ ଜାମ୍‌ କରି ରଖିବା ପରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ । ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ମାରିବା ଘଟଣାରେ ଓକିଲ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଆଜି ସେମାନଙ୍କର ରାଗ ଶାନ୍ତ ହୋଇଛି। ସେମାନେ ବୁଝିଯାଇଛନ୍ତି ଏବଂ ଆନ୍ଦୋଳନକୁ ଆଜିଠାରୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେବେ ଆଇନଜୀବୀମାନେ କେମିତି ବୁଝିଗଲେ । ୭୮ ଦିନ ଧରି ଜିଦିରେ ଅଡ଼ି ରହିଥିବା ଆଇନଜୀବୀଙ୍କ ଜିଦି ରହିଲା କି। ଆଜି ହାଇକୋର୍ଟରେ ମାମଲାର ବିଚାର ବିଚାର ସମୟରେ ଅଭିଯୁକ୍ତ ୩ ପୁଲିସ କର୍ମଚାରୀ ଉପସ୍ଥିତ ରହି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଅଡ଼େଇମାସ ହେଲା ଡହ ଡହ ହେଇ ଜଳୁଥିବା ଆଇନଜୀବୀଙ୍କ ରାଗ ଲିଭିଗଲା । ଆସନ୍ତାକାଲି ଠାରୁ ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନର ସଭାପତି  । ଖାଲି ସେତିକି ନୁହେଁ  ଅକ୍ଟୋବର ୨୯ ତାରିଖ ଦିନ ହାଇକୋର୍ଟ ସାମ୍ନାରେ ଘଟିଥିବା ଘଟଣାକ୍ରମକୁ ନେଇ ହାଇକୋର୍ଟ ବାର ତରଫରୁ ଦୁଃଖ ପ୍ରକାଶ କରାଯାଇଛି। ଏହାକୁ ମଧ୍ୟ ଗଣ୍ଠି ପକେଇ ରଖିଥିବା ହାବିଲଦାର କନେଷ୍ଟବଳ ଓ ସିପାହୀ ମହାସଂଘ ସ୍ବାଗତ କରି ମନ ବୁଝେଇନେଇଛି।

 

ଅଗଷ୍ଟ ୨୮ ତାରିଖରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ କଟକ ନୂଆବଜାର ଛକରେ ପୁଲିସ ମାଡ ମାରିବା  ଘଟଣାରୁ ସୃଷ୍ଟି ହୋଇଥିଲା ।  ଅଭିଯୁକ୍ତ ପୁଲିସ କର୍ମଚାରୀ ମାନଙ୍କୁ ଗିରଫ କରିବାଲାଗି ଅଡିବସିଥିଲେ ଆଇନଜୀବୀ ମାନେ । ସାରାରାଜ୍ୟରେ ଓକିଲ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ହାଇକୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା , ଯାହାର ଶୁଣାଣି କରି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଲମ୍ବା ଆନ୍ଦୋଳନରେ ଅସନ୍ତୋଷ ପ୍ରକାଶ କରି ଗୋଟିଏ ଗୋଷ୍ଠୀ ମଧ୍ୟ କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ଘୋଷଣା କଲା। ପୋଲିସ ମହାନିର୍ଦ୍ଦେଶକ ଆର ପି ଶର୍ମା ମଧ୍ୟ ଆଇନଜୀବୀଙ୍କ ସହିତ କଥାବାର୍ତ୍ତା କଲେ। ତଥାପି ଆନ୍ଦୋଳନ ଥମିଲାନି। ଆଉ ଆଜି ୩ ପୋଲିସ କର୍ମଚାରୀ କ୍ଷମା ମାଗିବା ପରେ ସବୁକିଛିର ଜବନିକା ପଡ଼ିଥିଲା। ତେବେ ଓକିଲଙ୍କ ଉପରେ ହେଉଥିବା ଆକ୍ରମଣ ଭଳି ଘଟଣା କୁ କିପରି  ରୋକିହେବେ ସେନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏସଂକ୍ରାନ୍ତରେ ଆଡଭୋକେଟ ଜେନେରାଲ ଏକ ରିପୋର୍ଟ ପ୍ରସ୍ତୁତ କରି ୧୫ ଦିନ ଭିତରେ ଦାଖଲ କରିବେ।

କଥା ହେଉଛି ୭୮ ଦିନ ଆନ୍ଦୋଳନରେ ଆଇନଜୀବୀଙ୍କର କେଉଁ ବିଜୟବାନା ଉଡ଼ିଲା । ଦେଶବ୍ୟାପୀ ଓଡ଼ିଶାର ଆଇନଜୀବୀ  ଯେଉଁ ଇତିହାସ ସୃଷ୍ଟି କଲେ ସେଥିରେ କେତେ ଆତ୍ମସନ୍ତୋଷ ଲାଭ କରିବେ। ଯଦି କ୍ଷମା ପ୍ରାର୍ଥନାରେ କଥା ସରିବାର ଥିଲା ତେବେ ପୋଲିସ ଏତିକି କାମ ପୂର୍ବରୁ କାହିଁକି କରିନଥିଲା। ୭୮ ଦିନ ଲୋକେ ଯେଉଁଭଳି ଭାବେ ପେଶି ହେଲେ, ୭୮ ଦିନର କୋର୍ଟ କାର୍ଯ୍ ବନ୍ଦର ଯେଉଁ ସବୁ କ୍ଷତି ହେଲା ସେସବୁ ପାଇଁ କିଏ ଦାୟୀ ରହିବ । ଆଉ କେବେ ଏମିତି ଘଟଣା ପାଇଁ ଯେପରି କୋର୍ଟ କାର୍ଯ୍ୟ ଦିନଟିଏ ବି ବନ୍ଦ ନ ହେବ ସେନେଇ କିଛି ଠୋସ୍‌ ନିଷ୍ପତ୍ତି ହେଲା କି ।