ବିଧାନସଭାରେ ସ୍କୁଲ ବନ୍ଦ ତାତି : ଧୋଇଗଲା ବିଧାନସଭାର ଗୋଟିଏ ଦିନ
୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବାକୁ ସରକାର ନେଇଥିବା ନିଷ୍ପତ୍ତି ବିରୋଧ
ଭୁବନେଶ୍ଵର : ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରସଙ୍ଗକୁ ନେଇ ଧୋଇଗଲା ବିଧାନସଭାର ଗୋଟିଏ ଦିନ । ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ କମ୍ପିଥିଲା ବିଧାନସଭା । ଏମିତିକି ବିଧାୟକ ତାରା ବାହିନୀପତି ବାଚସ୍ପତ୍ତିଙ୍କ ପୋଡିୟମରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବାରମ୍ବାର ଗୃହ ମୁଲତବୀ ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତ୍ତି । କାଲି ଏହି ପ୍ରସଙ୍ଗରେ ବିଧାନସଭାରେ ପୁଣି ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି ।
ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିବା ଦାବିରେ ଆତ୍ମହତ୍ୟା ଧମକ ଦେଇ ବାଚସ୍ପତ୍ତିଙ୍କ ପୋଡିଅମରେ ମୁଣ୍ଡ ପିଟିଦେଲେ ତାରା
ସ୍କୁଲ ବନ୍ଧ ନିଷ୍ପତ୍ତିକୁ ପ୍ରତ୍ୟାହାର କର । ସ୍କୁଲ ବନ୍ଦ ହେଲେ ସେ ଛାତ୍ର ଛାତ୍ରୀ କେଉଁଠି ପଢିବେ । ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ବିରୋଧରେ ଏମିତି କମ୍ପିଥିଲା ବିଧାନସଭା। ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବାକୁ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଗୃହରେ ହଟ୍ଟଗୋଳ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଗୃହ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇଥିଲେ। ସରକାରଙ୍କ ଚିନ୍ତାଧାରା କଣ, ଛାତ୍ରଛାତ୍ରୀଙ୍କୁ କେଉଁଠି ନେବେ ବୋଲି ନରସିଂହ ସରକାରଙ୍କୁ ଜବାବ ମାଗିଥିଲେ । ସେପଟେ ବିଜେପି ଉପନେତା ମଧ୍ୟ ସରକାରଙ୍କୁ ଘେରିଥିଲେ । ବାଚସ୍ପତ୍ତିଙ୍କ ରୁଲିଂ ଦାବି କରି ବିରୋଧୀ ନାରାବାଜି କରିବାରୁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ମନ୍ତ୍ରୀ ଦୁଇ ଦିନ ଭିତରେ ଜବାବ ରଖିବାକୁ ବାଚସ୍ପତିଙ୍କ ରୁଲିଂ ପରେ ବି ହଟ୍ଟଗୋଳ ଥମିନଥିଲା । ଏପରିକି କଂଗ୍ରେସ ବିଧାୟକ ତାରା ବାହିନିପତି ଆତ୍ମହତ୍ୟା ଧମକ ଦେଇଥିଲେ । ବାଚସ୍ପତ୍ତିଙ୍କ ପୋଡିଅମରେ ମୁଣ୍ଡ ପିଟି ଦେଇଥିଲେ । ସେପଟେ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟା ରଖି କହିଛି, ସରକାର ମନ ଇଚ୍ଛା ସ୍କୁଲ ବନ୍ଦ କରୁନାହାନ୍ତି। ବ୍ଲକ ଜିଲ୍ଲା ରାଜ୍ୟ ସ୍ତରରେ ହୋଇଥିବା କମିଟି ରିପୋର୍ଟ ଆଧାରରେ ସ୍କୁଲ ବନ୍ଦ ନିଷ୍ପତ୍ତି ହେଉଛି।
ବିଧାନସଭାରେ ସ୍କୁଲ ତାତି ବି ଗୃହ ବାହାରେ ରହିଥିଲା । ରାଜ୍ୟ ସ୍କୁଲ ଅଭିଭାବକ ସଂଘ ମଧ୍ୟ କଡା ପତିକ୍ରିୟା ରଖିଛି । ରାଜ୍ୟରେ ୧୭,୭୭୨ ପ୍ରାଥମିକ ସ୍କୁଲ ବନ୍ଦ ହୋଇସାରିଲାଣି । ଆଉ ୪୮୮ ବନ୍ଦ ଲାଗି ପ୍ରକ୍ରିୟା ଚାଲିଛି । ଏବେ ଆଉ ୧୪ ହଜାର ୩୩୯ ସ୍କୁଲ ବନ୍ଦ ନିଷ୍ପତ୍ତି ଘରୋଇ ସ୍କୁଲକୁ ସୁହାଇବ । ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନେଇଛି ଅଭିଭାବକ ସଂଘ। ସେପଟେ ଗୃହ ବାହାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି , ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ । ରାଜ୍ୟରେ ୧୪ ହଜାର ସ୍କୁଲ ନୁହେଁ, ୭୭୭୨ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରସ୍ତାବ ଥିବା ମନ୍ତ୍ରୀ କହିଛନ୍ତି । କୌଣସି ଛାତ୍ରଛାତ୍ରୀ ଯେମିତି ଡ୍ରପଆଉଟ୍ ନ ହୁଅନ୍ତି ତାକୁ ଆଖି ଆଗରେ ରଖି ବହୁ ଆଗରୁ ଏ ନିଷ୍ପତ୍ତି ନିଆଯାଇଛି। ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବାର ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କ ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।