୧୮ ଦିନ ଆଗରୁ ସରିଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର : ୧୮ ଦିନ ଆଗରୁ ସରିଲା ବିଧାନସଭା ଶୀତ ଅଧିବେସନ । ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୫ ଯାଏ ଚାଲିବାର ଥିଲା । ୨୩ ଦିନ କାର୍ଯ୍ୟ ଦିବସ ସ୍ତିର ହୋଇଥିଲା । ହେଲେ ମାତ୍ର ଆଠ ଦିନରେ ତିନିଦିନ ଛୁଟି ଦିନକୁ ଛାଡି ୫ ଦିନ ଗୃହ କାର୍ଯ୍ୟ ଚାଲିଥିଲା । ଆଜି ବାଚସ୍ପତି ଗୃହକୁ ଅନିଦ୍ଧିଷ୍ଟ କାଳ ଲାଗି ମୁଲତବି ଘୋଷଣା କରିଛନ୍ତି । ୧୮ ଦିନ ଆଗରୁ ଗୃହ କାର୍ଯ୍ୟ ସରିଥିବାରୁ ବିରୋଧୀ ଏହାକୁ ନେଇ ପ୍ରତିବାଦ କରିଛନ୍ତି । ଗୃହ ମୁଲତବୀ ଲାଗି ଶାସକ ଦଳର ମୁଖ୍ୟସଚେତକ ପ୍ରସ୍ତାବ ଦେବା ପରେ ବିଜେପି  ସଦସ୍ୟ କକ୍ଷ ତ୍ୟାଗ କରିଥିଲେ ।   ୫ ଦିନର ଅଧିବେଶନରେ କୃଷି ଓ କୃଷକ ସମସ୍ୟା, ଢେଙ୍କାନାଳ ବିଅର ଫାକ୍ଟ୍ରି ଲାଗି ବେଆଇନ ଗଛକଟା ଉପରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହା ସହ ବିଧାନସଭା ଓ ଲୋକସଭାରେ ମହିଲାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ସର୍ବସମ୍ମତି ସଂକଳ୍ପ ପାରିତ ହୋଇଛି । ମାତ୍ର ୫ ଦିନରେ ବିଧାନସଭା ସରିଥିବାରୁ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିବାବେଲେ କୈଣସି ସରକାରୀ କାର୍ଯ୍ୟନଥିବାରୁ ଗୃହ ମୁଲତବୀ ହେବା ଆବଶ୍ୟକ ଥିଲା ବୋଲି ଶାସକ ଦଳ କହିଛି ।