ଜୁନ ୨୦ରେ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ

ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି

ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ ଜୁନ ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିସହିତ ଏହା ପୂର୍ବରୁ ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। ଆଜି ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପ୍ରୋ-ଟେମ୍‌ ସ୍ପିକର ନିଯୁକ୍ତି ଦିଆଯାଇଛି। ପ୍ରୋ-ଟେମ୍ ସ୍ପିକର ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନବ ନିର୍ବାଚିତ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ମନୋନୟନ ପାଇଁ ନିର୍ବାଚନ ହେବ ବୋଲି ସୂଚନା ମିଳିଛି।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଗଠନ ହୋଇଛି। ଦୁଇଜଣ ଉପମୁଖ୍ୟମନ୍ତ୍ରୀ ସହ ୮ଜଣ କ୍ୟାବିନେଟ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ମଧ୍ୟ ସଂଖ୍ୟାଗରିଷ୍ଠତା ଥିବାରୁ ବିଜେପିର ନେତା ହିଁ ବାଚସ୍ପତି ହେବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ହେବେ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ହେଲେ ବିଧି ମୁତାବକ ଜୁନ୍ ୨୦ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।