ଦିଲ୍ଲୀପ ରାୟଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ବାଚସ୍ପତି, ଜାରି ହେଲା ନୋଟିଫିକେସନ

ଭୁବନେଶ୍ୱର: ଦିଲ୍ଲୀପ ରାୟ ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ବିଧାନସଭାରେ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଧାୟକ ପଦରୁ ସ୍ୱଇଚ୍ଛାରେ ଇସ୍ତଫା ଦେଉଥିବା ନେଇ ବାଚସ୍ପତିଙ୍କୁ ଭେଟି ଅବଗତ କରାଇବା ପରେ ଏହାକୁ ଗ୍ରହଣ କରାଯାଇଛି । ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ଇସ୍ତଫା ପତ୍ରକୁ ସଙ୍ଗେ ସଙ୍ଗେ ଗ୍ରହଣ କରି ନେଇଛନ୍ତି । ଆଜିଠାରୁ ତାଙ୍କ ଇସ୍ତଫା ପତ୍ର ଗୃହୀତ କରାଗଲା ଏବଂ ରାଉରକେଲା ବିଧାନସଭା ଆସନ ଖାଲି ହେଲା ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ଦିଲ୍ଲୀପ ଇସ୍ତଫା ଦେଇ ଆସିବାର ମାତ୍ର କେଇ ଘଣ୍ଟା ଭିତରେ ତାଙ୍କ ଇସ୍ତଫାକୁ ଗ୍ରହଣ କରି ନିଆଯାଇ ବିଜ୍ଞପ୍ତି ସଙ୍ଗେ ସଙ୍ଗେ ପ୍ରକାଶ କରାଯିବା ପଛରେ ରହସ୍ୟ ଥିବା କଥା କୁହାଯାଉଛି ।