ଏଣିକି କୋଭିଡ ନିୟମ ଭାଙ୍ଗିଲେ ୨ ବର୍ଷ ଜେଲ ଓ ୧ ଲକ୍ଷ ଜରିମାନା

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପାରିତ ହେଲା ସଂକ୍ରାମକ ରୋଗ ବିଲ-୨୦୨୦

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ପାରିତ ହୋଇଛି ସଂକ୍ରାମକ ରୋଗ ବିଲ-୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ ବିଧାନସଭାରେ ଗୃହୀତ ହୋଇଛି ।  ଏହି ବିଲର ପ୍ରାବଧାନ ଅନୁଯାୟୀ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି ।

ବିଲ ପାରିତ ହେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ପ୍ରତିକ୍ରୟା ରଖିଛନ୍ତି। ଏହି ବିଲକୁ ‘କୀଳା ବିଲ୍’ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି। ଏହି ବିଲ ଆଣିବାର ଉଦ୍ଦେଶ୍ୟ ବିଧାୟକଙ୍କୁ ଜେଲରେ ରଖିବା ଓ ସାଧାରଣ ଲୋକଙ୍କୁ ୧ ଲକ୍ଷ ଯାଏ ଫାଇନ୍ ପକାଇବା । ରାଜନୈତିକ ଲୋକଙ୍କୁ ଜେଲରେ ଭର୍ତ୍ତି କରି ସରକାର ବାହା ବାହା ନେବାକୁ ପ୍ରୟାସ କରୁଛନ୍ତି ।
ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେଉଁ ଆଇନ ଥିଲା, ଯଥେଷ୍ଟ ଥିଲା । ପୁଲିସ ଠିକ କାମ କରିଥିଲେ ଅସୁବିଧା ନ ଥାନ୍ତା । ବିରୋଧୀଙ୍କୁ ଆୟତ୍ତ କରିବାକୁ ଏହି ବିଲ ସରକାର ଆଣିଛନ୍ତି । ରୋଗକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ସରକାର । ଏହି ବିଲ ପାସ କରି ବିରୋଧୀଙ୍କୁ ୨ ବର୍ଷ ସଜ୍ଜା ଦେଇ ଦଣ୍ଡିତ କରିବାକୁ ପ୍ରୟାସ କରାଯାଉଛି।