ଅଭିଜିତଙ୍କୁ ମିଳିଲା କ୍ଷମା

ଭୁବନେଶ୍ୱର : ଓଡ଼ିଶା ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ବିଧାନସଭା କ୍ଷମା କରିଦେଇଛି । ଗୃହ କମିଟି ପ୍ରସ୍ତାବ ଆଧାରରେ ଶ୍ରୀ ଆୟାର୍ଙ୍କୁ କ୍ଷମା ପ୍ରଦାନ ପାଇଁ ଆସିଥିବା ମୋସନ୍କୁ ବାଚସ୍ପତି ପ୍ରଦୀପ ଅମାତ ଗ୍ରହଣ କରିନେଇଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ଆୟାରଙ୍କ ମନ୍ତବ୍ୟ ନେଇ ତଦନ୍ତ କରୁଥିଲା ।

କମିଟିର ରିପୋର୍ଟ ଶ୍ରୀ ମିଶ୍ର ଆଜି ଗୃହରେ ଉପସ୍ଥାପନ କରିଥିଲେ । ଶ୍ରୀ ମିଶ୍ର କହିଥିଲେ, ଅଭିଜିତ ଆୟର ମିତ୍ରଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ଆସିଥିବା ସ୍ୱାଧୀକାର ଭଙ୍ଗ ଅଭିଯୋଗର ତଦନ୍ତ ପାଇଁ ଗଠିତ ଗୃହ କମିଟି ୬ଟି ବୈଠକରେ ଏ ସଂପର୍କରେ ତର୍ଜମା କରିଥିଲା । ଶ୍ରୀ ଆୟାର ଗୃହ କମିଟି ନିକଟରେ ହାଜର ହୋଇ ନିଜର ନିର୍ବୋଧତା ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ଦୋଷ ସ୍ୱୀକାର କରିବା ଓ କ୍ଷମା ମାଗିବାର ସତ୍ୟାସତ୍ୟ ଜାଣିବା ପାଇଁ ସତ୍ୟପାଠ ଦାଖଲ କରିବାକୁ ତାଙ୍କୁ କୁହାଯାଇଥିଲା । କମିଟିର ପରାମର୍ଶ କ୍ରମେ ସେ ପୁନର୍ବାର ସତ୍ୟପାଠ ଦାଖଲ କରିଥିଲେ ।

ଏଥିରୁ କମିଟି ଉପଲବ୍ଧି କରିଥିଲେ ଯେ, ଆୟାର୍ ସ୍ୱଇଚ୍ଛାରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେଥିପାଇଁ ତାଙ୍କୁ କ୍ଷମା ଦିଆଯାଇଛି ।
ଆୟାର୍ଙ୍କୁ ଆଣିଥିବା ବ୍ୟକ୍ତି ଓଡ଼ିଶାର କଳା ଓ ସଂସ୍କୃତି ବିଷୟରେ ତାଙ୍କୁ ପୂର୍ବରୁ ସୂଚନା ଦେବାର ଥିଲା ବୋଲି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ । ସେ କହିଲେ ଯେ ଏ ସମ୍ପର୍କରେ ଗୃହ କମିଟିର ବାରମ୍ବାର ବୈଠକ ବସିଥିଲା । ଗୃହ କମିଟି ନିକଟରେ ହାଜର ହୋଇ ଶ୍ରୀ ଆୟାର ନିଜର ନିର୍ବୋଧତା ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବିଧାୟକ ଓ ଗୃହ ସହିତ ସାରା ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଶ୍ରୀ ଆୟାର୍ କ୍ଷମା ପ୍ରାର୍ଥନା କରିଛନ୍ତି । କମିଟିର ସଭ୍ୟ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଅଭିଜିତ ଆୟାରଙ୍କ ଅଶାଳୀନ ମନ୍ତବ୍ୟ ଦଳମତ ନିର୍ବିଶେଷର ସମସ୍ତଙ୍କ ଦ୍ୱାରା ନିନ୍ଦିତ ହୋଇଥିଲା ।

ଓଡ଼ିଶା ହେଉଛି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିବା ମାଟି । ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କିତ ପୁସ୍ତକ ତାଙ୍କୁ ଯୋଗାଇ ଦିଆଯାଉ । ଆମ ସଂସ୍କୃତିର ମହାନତା ଦୃଷ୍ଟିରୁ ଶ୍ରୀ ଆୟାରଙ୍କୁ କ୍ଷମା ଦିଆଯାଉ ବୋଲି ଶ୍ରୀ ମିଶ୍ର କହିଥିଲେ । ଏ ସମ୍ପର୍କରେ ବାଚସ୍ପତି ଗୃହର ମତ ଲୋଡ଼ିଥିଲେ । ସର୍ବସମ୍ମତ ଭାବେ ଆୟାରଙ୍କୁ କ୍ଷମା ପ୍ରଦାନ ସମ୍ପର୍କିତ ମୋସନ୍ ଗୃହୀତ ହେଲା ବୋଲି ବାଚସ୍ପତି ଗୃହକୁ ଜଣାଇଥିଲେ । ସୂଚନାଯୋଗ୍ୟ, ଶ୍ରୀ ଆୟାର୍ ବର୍ତ୍ତମାନ ଝାରପଡ଼ା ଜେଲ୍ରେ ଅଛନ୍ତି । ପୂର୍ବରୁ ତଳ କୋର୍ଟରେ ତାଙ୍କର ଜାମିନ୍ ଖାରଜ ହୋଇଥିବା ବେଳେ ସେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ।