୫ ଦିନ ପୂର୍ବରୁ ସରିଲା ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର : ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଶନିବାର ଶେଷ ହୋଇଛି । ଜୁନ ୨୫ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ  ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାର ବଜେଟ ଅଧିବେଶନ ଅଗଷ୍ଟ ୮ ତାରିଖରେ ସରିବାର ଥିଲା। ତେବେ ୫ ଦିନ ପୂର୍ବରୁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି।

ଏହି ଅଧିବେଶନରେ ସମୁଦାୟ ୩ଟି ବିଲ ଗୃହରେ ପାରିତ ହୋଇଛି। ଜୁନ ୨୫ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୁନ ୨୮ ତାରିଖ ଦିନ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଥିଲା। ଚଳିତ ଥର ୧ ଲକ୍ଷ ୩୯ କୋଟି ଟଙ୍କାର ବଜେଟ୍ ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଥିଲେ।

ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଆରମ୍ଭ ହୋଇଥିଲା। ଅଧିବେଶନର ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହେବା ସହ ବ୍ୟୟ ମଞ୍ଜୁରି ବିଲ ପାରିତ ହୋଇଥିଲା। ଅଧିବେଶନରେ କୁନ୍ଦୁଲୀ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଥିଲା। ଏହି ଅଧିବେଶନରେ ମଧ୍ୟ ରାଜ୍ୟସଭା ପାଇଁ ଖାଲିପଡିଥିବା ୩ ଆସନ ନିମନ୍ତେ  ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ବିଧାନସଭା ନିର୍ବାଚନ ପରେ ଏହି ପ୍ରଥମ ଅଧିବେଶନ ହୋଇଥିବାରୁ ଏଥିରେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି ମନୋନୟନ କରାଯାଇଥିଲା। ସେହିଭଳି ବିଜେପିର ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତାଙ୍କ ମାନ୍ୟତା ମିଳିଥିଲା।