ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନେତାଙ୍କ ଠୁ ଆରମ୍ଭ କରି ଅଭିନେତା ସମସ୍ତେ କରୋନା ର କରାଳ ରେ ଗ୍ରାସ ହେଉଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍ ଦାସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଗତକାଲି ରାତିରେ ଅଭିନେତା ଅଜିତ୍ ଦାସ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏ ସଂକ୍ରାନ୍ତରେ ‘ଓଡ଼ିଶା ମୋ ପରିବାର’ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଏବଂ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କୁ ତାଙ୍କ ଝିଅ ଯୋଗାଯୋଗ କରିଥିଲେ। ସେମାନଙ୍କ ସହଯୋଗରେ ଅଭିନେତା ଅଜିତ୍ ଦାସଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଅଜିତ୍ ଦାସଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଓ ଭଲ ରହିଛି ବୋଲି ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି।
ବରିଷ୍ଠ ଅଭିନେତା ଅଜିତ୍ ଦାସ କରୋନା ଆକ୍ରାନ୍ତ ବୋଲି ଜାଣିବା ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ତଥା ଅନ୍ୟ ବ୍ୟକ୍ତିବିଶେଷ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ସେ ଶୀଘ୍ର ଭଲ ହୋଇ ଘରକୁ ଫେରନ୍ତୁ ବୋଲି ଇଶ୍ୱରଙ୍କଠାରେ ପ୍ରାର୍ଥନା କରିଛନ୍ତି।