କଳାହାଣ୍ଡିରେ ମୁଖ୍ୟ ଶାସନ ସଚିବ ଓ ୫T ସଚିବଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଭବାନିପାଟଣା : କଳାହାଣ୍ଡି ମେଡିକାଲ କଲେଜ ଓ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ କଳାହାଣ୍ଡି ଗସ୍ତ କରି କରୋନାର ସମ୍ଭାବ୍ୟ ତୃତୀୟ ଲହରର ସଂକ୍ରମଣର ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥିସହ ସ୍ବାସ୍ଥ୍ୟ, ଜଳସେଚନ ଓ ଶିକ୍ଷା ସମ୍ପର୍କିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ଉତକେଲା ବିମାନବନ୍ଦରରେ ପହଞ୍ଚି ବିମାନ ବନ୍ଦରର ବିକାଶ ନେଇ ସମୀକ୍ଷା କରିଛନ୍ତି । ଖୁବଶୀଘ୍ର ଭବାନୀପଟଣାରୁ ଭୁବନେଶ୍ୱର ଓ ରାୟପୁରକୁ ବାଣିଜ୍ୟିକ ଉଡାଣ ଆରମ୍ଭ ହେବ ।

ପରେ ଭବାନୀପାଟଣା ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ବଲାଙ୍ଗୀର-କେସିଙ୍ଗା ୨୨୦ କେଭି ବିଦ୍ୟୁତ ଲାଇନ କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଓପିଟିସିଏଲ ଓ ଜଙ୍ଗଲ ବିଭାଗକୁ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମତି ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ କାର୍ଯ୍ୟକ୍ଷମ ହୋଇଥିବା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ସମୟରେ 5T ସଚିବ ସମସ୍ତ ହିତାଧିକାରୀ ଯେପରି ଏହାର ସୁବିଧା ପାଇବେ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏମ.ରାମପୁରଠାରେ ସାଣ୍ଡୁଲ ଜଳସେଚନ ପ୍ରକଳ୍ପ ଓ ଅନ୍ୟ ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନେଇ ମଧ୍ୟ ସମୀକ୍ଷା ହୋଇଥିଲା । ଆସନ୍ତା ୬ ମାସ ମଧ୍ୟରେ ଭବାନୀପାଟଣା ନୂଆ ବସଷ୍ଟାଣ୍ଡ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ନର୍ଲା ରେଳବାଇ ଲୋକୋ ସେଡ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ଟି ହାଇସ୍କୁଲର ବିକାଶ ଦାୟିତ୍ବ ଏହାର ପୂରାତନ ଛାତ୍ର, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ହାତକୁ ନେଇଛନ୍ତି । ଏହିକ୍ରମରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଭବାନୀପାଟଣା ବି.ଏମ. ହାଇସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

Odisha 5t secretary v k pandian inspecting the improvement of govt work in kalahandi