ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧରେ ବ୍ୟାପକ ଜନ ସଚେତନତାର ପ୍ରସାର ଜାତୀୟ ଚିଲିକା ପକ୍ଷୀ ଉତ୍ସବ ପାଳନର ମୁଖ୍ୟ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ : ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଏକ ଭିଡିଓ ବାର୍ତ୍ତା ଜରିଆରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧରେ ବ୍ୟାପକ ଜନସଚେତନତାର ପ୍ରସାର ଏହି ଉତ୍ସବ ପାଳନର ମୁଖ୍ୟ ଲକ୍ଷ୍ୟ । ଜୈବ ବିବିଧତାରେ ପରିପୂର୍ଣ୍ଣ ଓ ସମୃଦ୍ଧ ଚିଲିକା ହ୍ରଦକୁ ଶୀତଋତୁରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ଆସିଥାନ୍ତି । ସେଥିପାଇଁ ଚିଲିକାର ମଙ୍ଗଳାଯୋଡ଼ି ଓ ନଳବଣ ଦ୍ୱୀପକୁ ଏସିଆର ପକ୍ଷୀ ଭୂସ୍ୱର୍ଗ କୁହାଯାଏ । ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପକ୍ଷୀ ବିଶେଷଜ୍ଞ, ପକ୍ଷୀପ୍ରେମୀ, ଫଟୋଗ୍ରାଫର ଓ ପର୍ଯ୍ୟଟକମାନେ ଏହି ତ୍ରିଦିବସୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ସାମିଲ ହେବା ପାଇଁ ନାମ ପଞ୍ଜୀକରଣ କରି ମଙ୍ଗଳାଯୋଡ଼ି, ନଳବଣ ପ୍ରଭୃତି ପକ୍ଷୀ ଭୂସ୍ୱର୍ଗକୁ ଦେଖିବାର ମଜା ଉଠାଇବା ସହ ଲକ୍ଷ ଲକ୍ଷ ପକ୍ଷୀଙ୍କ ସମାଗମକୁ ମନଭରି ଉପଭୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି- ଚିଲିକା ହ୍ରଦ ୧୯୮୧ ମସିହାରେ ଦେଶର ପ୍ରଥମ ରାମସାରସ୍ଥଳୀ ଭାବେ ସ୍ୱୀକୃତି ପାଇଥିଲା । କେବଳ ଆମ ରାଜ୍ୟ କାହିଁକି, ସାରା ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର । ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଦେଶାଗତ ପକ୍ଷୀଙ୍କ ବୃହତମ ଆଶ୍ରୟସ୍ଥଳ ଭାବେ ଏସିଆ ଉପମହାଦେଶରେ ଚିଲିକା ହ୍ରଦ ସୁଖ୍ୟାତି ବହନ କରିଛି । ଶୀତ ଦିନରେ ସୁଦୂର ସାଇବେରିଆଠାରୁ ଆରମ୍ଭ କରି ସାରା ପୃଥିବୀର କୋଣ ଅନୁକୋଣରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରାୟ ୧୯୦ ପ୍ରଜାତିର ୧୨ ଲକ୍ଷରୁ ଊର୍ଦ୍ଧ୍ୱରୁ ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିବା ଚିଲିକାର ଅନନ୍ୟ ବିଶେଷତ୍ୱ ପକ୍ଷୀ ପର୍ଯ୍ୟଟନକୁ ଅଗ୍ରାଧିକାର ଦେଉଥିବା ଚିଲିକାର ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ପକ୍ଷୀ ବିଶେଷଜ୍ଞମାନେ ଯୋଗଦେଇ ପକ୍ଷୀ ଶିକାର ନିରୋଧ ସମ୍ବନ୍ଧୀୟ ସଚେତନତା, ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଷୟରେ ବହୁବିଧ ତଥ୍ୟ ଓ ପକ୍ଷୀ ସଂରକ୍ଷଣ ସଂକ୍ରାନ୍ତୀୟ ବିଭିନ୍ନ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥାନ୍ତି ବୋଲି ମନ୍ତ୍ରୀ ଆରୁଖ କହିଥିଲେ ।
ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ- ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ପକ୍ଷୀପ୍ରେମୀ ପର୍ଯ୍ୟଟକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସିଲେ ସେମାନେ ରାଜ୍ୟ ପାଇଁ ପର୍ଯ୍ୟଟନ ରାଷ୍ଟ୍ରଦୂତ ରୂପେ ସାବ୍ୟସ୍ତ ହେବେ । ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ- କୋଭିଡ୍‌ କଟକଣା ସତ୍ତ୍ୱେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୫ ଜଣ ପକ୍ଷୀପ୍ରେମୀ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ନାମ ପଞ୍ଜିକରଣ କରିବା ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡ. ମୋନା ଶର୍ମା ପରିବେଶ ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ବାସ୍ତବରେ ଭାରତର ସ୍ୱର୍ଗ ବୋଲି ମତବ୍ୟକ୍ତ କରିଥିଲେ । ଚିଲିକା ଉପରେ ଏକ ଭିଡିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା ।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଓ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ରାମଚନ୍ଦ୍ର ଯାଦବ ପ୍ରକୃତି ଓ ପରିବେଶ ପର୍ଯ୍ୟଟନର ଉତ୍କର୍ଷ ସାଧନ ଉଦ୍ଦେଶ୍ୟରେ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଉତ୍ସବରେ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ଅଜିତ୍‌ ପଟ୍ଟନାୟକ, ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିର ଡ. ଏସ୍‌. ବାଲଚନ୍ଦ୍ରନ୍‌ଙ୍କୁ ମନ୍ତ୍ରୀ ଆରୁଖ ଓ ମନ୍ତ୍ରୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଥିଲେ । ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ସ୍ୱାଗତ ଭାଷଣ ଦେଇଥିଲେ । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ ।

odisha 3rd national chilika bird festival