ଏନସିଆରବି ରିପୋର୍ଟ-୨୦୧୭: ଯୌନ ଅପରାଧରେ ଓଡ଼ିଶା ପ୍ରଥମ

ଭୁବନେଶ୍ଵର:ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ରହିଛି। ରାଜ୍ୟରେ ମହିଳା ସୁରକ୍ଷିତ ଅଛନ୍ତି। ଅପରାଧ କମିଛି। କିନ୍ତୁ ବାସ୍ତବ ଏହାର ସଂପୂର୍ଣ୍ଣ ଓଲଟା। ରାଜ୍ୟରେ ଅପରାଧ ବୃଦ୍ଧି ଘଟିଛି।  ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢି ଚାଲିଛି। ସମଗ୍ର ଦେଶରେ  ଅପରାଧରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି। ଯୌନ ଅପରାଧରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ଯୌନ ଉତ୍ପୀଡ଼ନରେ ଦେଶରେ ଓଡ଼ିଶା ପଞ୍ଚମରେ ରହିଛି। ଯୌତୁକଜନିତ ହତ୍ୟା ମାମଲାରେ ଓଡ଼ିଶାରେ ସର୍ବାଧିକ ବୋଲି ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି।

ଜାତୀୟ ଅପରାଧ ନଥି ବ୍ୟୁରୋ ଅର୍ଥାତ ଏନସିଆରବିର ରିପୋର୍ଟ-୨୦୧୭ ଗତ ସୋମବାର ପ୍ରକାଶ ପାଇଛି। ଏହି ରିପୋର୍ଟରେ ଅପରାଧ ହାରରେ ଦେଶରେ ଓଡ଼ିଶାର ସ୍ଥାନ ଦ୍ଵିତୀୟ ଥିବା ଉଲ୍ଲେଖ ରହିଛି। ୯୪ ଅଙ୍କ ସହ ଓଡ଼ିଶା ଏବଂ ତେଲେଙ୍ଗାନା ମିଳିତ ଭାବେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଏନସିଆରବି ପକ୍ଷରୁ ସୋମବାର ପ୍ରକାଶିତ ‘ଭାରତରେ ଅପରାଧ-୨୦୧୭’ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଦେଶରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ଘଟିଛି। ୨୦୧୭ରେ ଦେଶରେ ୩ ଲକ୍ଷ ୫୯ ହଜାର ୮୪୯ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ରେ ଏହା ୩ ଲକ୍ଷ ୨୯ ହଜାର ୨୪୩ ରହିଥିଲା। ଏହି ତାଲିକାରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି।

୨୦୧୭ରେ ଓଡ଼ିଶାରେ  ମହିଳା ବିରୋଧୀ ଅପରାଧ ମାମଲା ୨୦ ହଜାର ୯୮ଟି ରୁଜୁ ହୋଇଥିଲା। ଯାହା ୨୦୧୬ ତୂଳନାରେ ଅଧିକ। ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟ ପରେ ଓଡ଼ିଶାରେ ମହିଳାଙ୍କ ବିରୋଧୀ ଅପରାଧ ଅତ୍ୟନ୍ତ ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଓଡ଼ିଶାରେ ୨୦୧୬ରେ ମହିଳାଙ୍କ ବିରୋଧୀ ଅପରାଧ ମାମଲା ୧୭ ହଜାର ୮୩୭ଟି ଥିବା ବେଳେ ୨୦୧୫ରେ  ଏହି ମାମଲା ୧୭ ହଜାର ୨୦୦ ରହିଥିଲା। କିନ୍ତୁ ଦୁଭାର୍ଗ୍ୟଜନକ ୨୦୧୭ରେ ଏହା ଆଶାତୀତ ବୃଦ୍ଧି ପାଇ ୨୦ ହଜାରକୁ ଟପି ଯାଇଥିଲା। ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗରେ  ମହିଲା ବିରୋଧୀ ଅପରାଧ ହ୍ରାସ ପାଉଥିବା ବେଳେ ଓଡ଼ିଶାରେ ଏହା ଉଦବେଗଜନକ ଭାବେ ବଢି ଚାଲିଛି।