ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆଉ ଜଣେ ଓଡ଼ିଆ ଝିଅ ବିଦେଶରେ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶାର ନାମ ରଖିଛନ୍ତି । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସିଆଳିଯୋଡା ଗ୍ରାମର ମଞ୍ଜୁ ମୁଣ୍ଡା । ମଞ୍ଜୁ ଋଷ ରାଜଧାନୀ ମସ୍କୋରେ ଅନୁଷ୍ଠିତ ଉଷୁ ଷ୍ଟାର ଚାମ୍ପିଅନଶିପରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ୪୨ କେଜି ବର୍ଗର ଫାଇନାଲରେ ଆୟୋଜକ ଦେଶର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ହଳଦିଆ ପଦକ କବଜା କରିଥିଲେ। ଏହା ପୂର୍ବରୁ ସେମିଫାଇନାଲ୍ ଓ କ୍ୱାର୍ଟରଫାଇନାଲରେ ମଞ୍ଜୁ ଯଥାକ୍ରମେ ଇଜିପ୍ଟ ଓ କଜାଖସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କ ପରାସ୍ତ କରିଥିଲେ। ଚଳିତମାସ ୨୨ରୁ ୨୭ ତାରିଖ ପର‌୍ୟ୍ୟନ୍ତ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତାରେ ମଞ୍ଜୁ ଏକମାତ୍ର ଓଡ଼ିଆ ଭାବେ ୨୮ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ତାଙ୍କ ସହ ଓଡ଼ିଆ କୋଚ୍ ପଙ୍କଜ କୁମାର ମହାନ୍ତ ରୁଷ୍ ଗସ୍ତ କରିଥିଲେ। ଯୋଡ଼ା ମହିଳା କଲେଜର ଛାତ୍ରୀ ମଞ୍ଜୁଙ୍କ ନାମରେ ୧୨ ସ୍ୱର୍ଣ୍ଣ ସହ ମୋଟ ୨୦ ପଦକ ରହିଛି। ୨୦୧୭ରେ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ ଉଷୁ ଚାମ୍ପିଅନଶିପରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।