ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ସ୍କୁଲ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ ଜୀବନୀ
ରାଜ୍ୟରେ ମହାସମାରୋହରେ ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ
ଭୁବନେଶ୍ୱର : ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ ସଂପର୍କରେ ପିଲାଙ୍କ ସ୍କୁଲ ପାଠ୍ୟକ୍ରମରେ ରହିବ। ଏ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ। ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଶିକ୍ଷାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହେବ। ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ। ଏହା ସହ ଅପ୍ରାସଙ୍ଗିକ ପୁରୁଣା ଆଇନ ହଟାଇବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ୧୯୭୪ ମସିହାରୁ ୨୦୧୬ ମଧ୍ୟରେ ପ୍ରଣିତ ୨୦୬ଟି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟ କ୍ୟାବିନେଟରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ତଥା ବରପୁତ୍ରମାନଙ୍କ ଗ୍ରାମକୁ ଆଦର୍ଶ ଗ୍ରାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ବରପୁତ୍ରମାନେ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ଆମ କଳା, ସାହିତ୍ୟ ଏବଂ ସଂସ୍କୃତିର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି । ପାଇକ ବିଦ୍ରୋହ ଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଆଧୁନିକ ଓଡ଼ିଶାର ନବ ନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ର ଓଡ଼ିଶା ପାଇଁ ପ୍ରେରଣାର ଉତ୍ସ । ଏହି ମହାପୁରୁଷମାନଙ୍କର ସ୍ମୃତିକୁ ଚିରସ୍ମରଣୀୟ କରିବା ଏବଂ ସେମାନଙ୍କର ଜାତି ପ୍ରୀତି ସମ୍ପର୍କରେ ଉତ୍ତରପିଢ଼ିଙ୍କୁ ଅବଗତ କରିବା ଆମ ଦାୟିତ୍ୱ ଓ ଏହା ଏକ ନିରନ୍ତର ପ୍ରକ୍ରିୟା ।
ଏବେର ଡିଜିଟାଲ୍ ୱାର୍ଲ୍ଡ ଏବଂ ସୋସିଆଲ୍ ମିଡିଆର ଆଗମନ ପରେ ସେମାନଙ୍କର ତ୍ୟାଗକୃତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟ ପୁସ୍ତକରେ ଉପଯୁକ୍ତ ଭାବରେ ସ୍ଥାନିତ କରିବା ପାଇଁ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆମର ଗୌରବମୟ, ଐତିହ୍ୟ, ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏ ଜାତିକୁ ସେମାନଙ୍କ ପ୍ରତିଭାରେ ମହିୟାନ୍ କରିଥିବା ସମସ୍ତ ବରପୁତ୍ରମାନଙ୍କ କାର୍ଯ୍ୟ ଏବଂ ଜୀବନର ବିଷୟ ବସ୍ତୁ ଏକତ୍ରିତ କରାଯାଇ ବିଭିନ୍ନ ପାଠ୍ୟକ୍ରମ, ଅତିରିକ୍ତ ପାଠ୍ୟକ୍ରମରେ ସାମିଲ୍ କରାଯିବ ।
ସେହିଭଳି ରାଜ୍ୟ ପାଳିବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ଶତବାର୍ଷିକୀ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ ଥର ଆସିଥିଲେ । ପ୍ରଥମଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ରେ ଓଡ଼ିଶା ଆସିଥିଲେ ଗାନ୍ଧିଜୀ । କଟକ କାଠଯୋଡ଼ି ନଦୀ ବାଲିରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ । ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୦୨୧ ମାର୍ଚ୍ଚ ୨୩ରୁ ବର୍ଷେ ବ୍ୟାପୀ ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ ହେବ । ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଏହା ଓଡ଼ିଶାବାସୀଙ୍କୁ ଉଦବୁଦ୍ଧ କରିବା ସହ ଯୁବପିଢ଼ିଙ୍କୁ ମହାତ୍ମାଙ୍କ ମହନୀୟତାରେ ଉଦବୁଦ୍ଧ କରିବାରେ ସହାୟକ ହେବ ।
odia eminent personality life stories in student educational curriculum