ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ;ହିତାଧିକାରୀମାନଙ୍କ ଘରେ ବଣ୍ଟନ କରାଗଲା ଶୁଖିଲା ରାସନ
ଭୁବନେଶ୍ୱର: ଦୀର୍ଘ ସମୟ ଧରି କୋଭିଡ-୧୯ ବିଶ୍ୱ ମହାମାରୀ କଠିନ ପରିସ୍ଥିତି ଅବ୍ୟାହତ ରହିଥିଲେ ମଧ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ଆଗଧାଡିର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ କର୍ତ୍ତବ୍ୟ ନିରନ୍ତର ସମ୍ପାଦନ କରିଚାଲିଛନ୍ତି । ଆଜି ମାସର ୧ ତାରିଖ ହେଇଥିବାରୁ ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ପରିପୂରକ ପୁଷ୍ଟି ସାଧନ କାର୍ଯ୍ୟକ୍ରମରେ ଶୁଖିଲା ରାସନ (ଟିଏଚଆର) ବଣ୍ଟନ କରାଯାଇଛି । କୋଭିଡ ସ୍ଥିତିରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଚଳିତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
ଏଭଳି ସ୍ଥିତିରେ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀମାନଙ୍କ ଘରକୁ ଯାଇ ଶୁଖିଲା ରାସନ ବଣ୍ଟନ କରିଛନ୍ତି । ୩ ରୁ ୬ ବର୍ଷ ବୟସର ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଶୁଖିଲା ରାସନ ବାବଦକୁ ଛତୁଆ, ବାଦାମ ଲଡୁ, ଚିକି, ଅଣ୍ଡା ଏବଂ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ହିତାଧିକାରୀମାନଙ୍କୁ ମାଣ୍ଡିଆ ଚୂନାର ପ୍ୟାକେଟ୍ ବଣ୍ଟନ କରାଯାଇଛି । ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହି ଯୋଜନା ଦ୍ୱାରା ରାଜ୍ୟର ୪୧ ଲକ୍ଷ ୨୭ ହଜାର ୫୦ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ୬ ମାସରୁ ୩ ବର୍ଷ ବୟସର ୧୭,୯୩,୮୯୬ ଶିଶୁ, ୩ରୁ ୬ ବର୍ଷ ବୟସର ୧୬,୧୩,୭୭୫ ଜଣ ଶିଶୁ ଏବଂ ୭,୧୯,୩୭୯ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା ଉପକୃତ ହେଉଛନ୍ତି । ଏତଦ୍ବ୍ୟତୀତ ଲକ୍ଡାଉନ୍ ପରିପ୍ରେକ୍ଷୀରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ଯୋଗ୍ୟତା ଅନୁସାରେ ଶୁଖିଲା ରାସନ ବଣ୍ଟନ କରାଯାଇଛି ।
ପ୍ରକାଶ ଥାଉ କି, ବିକେନ୍ଦ୍ରୀକରଣ ପ୍ରକି୍ରୟାରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିୟୋଜିତ କରି ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ ମଡେଲକୁ ନିକଟରେ ନିତି ଆୟୋଗ ଉଚ୍ଚପ୍ରଶଂସା କରିଛନ୍ତି । ଏହାଦ୍ୱାରା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଅଧିକ ସ୍ୱଚ୍ଛତା ଆସିପାରିଛି ବୋଲି ନିତି ଆୟୋଗ ପ୍ରକାଶ କରିଛନ୍ତି । ଛତୁଆ ପ୍ରସ୍ତୁତିଠାରୁ ବଣ୍ଟନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକି୍ରୟାକୁ ତଦାରଖ କରିବା ନିମନ୍ତେ ‘ମୋ ଛତୁଆ’ ଆପ୍ର ବିକାଶ କରାଯାଇଛି । ଏହି ଆପ୍ର ଉପଯୋଗ ସମ୍ପର୍କରେ ଅଙ୍ଗନବାଡି କର୍ମୀ ତଥା ସମସ୍ତ ଆଇସିଡିଏସ୍ କାର୍ଯ୍ୟକର୍ତ୍ତାଙ୍କୁ ନିୟମିତ ତାଲିମ ପ୍ରଦାନ କରାଯାଉଛି । ହିତାଧିକାରୀମାନେ ଏହି ଯୋଜନାରୁ ଠିକ୍ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗ ତରଫରୁ ଟେଲି ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀମାନେ ଏହି ବଣ୍ଟନ ସମୟରେ କୋଭିଡ ନିୟମାବଳୀର କଡାକଡି ଅନୁପାଳନ କରିବା ସହ ହିତାଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରିଛନ୍ତି ।