ଓସିଏ ନିର୍ବାଚନ: ଆସିଲା ଚୁଡାନ୍ତ ପ୍ରାର୍ଥୀ ତାଲିକା

କଟକ: ଓଡିଶା କ୍ରିକେଟ ଆସୋସିଏନ (ଓସିଏ) ନିର୍ବାଚନ ପାଇଁ ଆସିଲା ଚୁଡାନ୍ତ ପ୍ରାର୍ଥୀ ତାଲିକା । ମୋଟ ୧୧ ପ୍ରାର୍ଥୀ ନିର୍ବାଚନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଚୁଡାନ୍ତ ତାଲିକାରୁ ଜଣେ ପ୍ରାର୍ଥୀ ବାଦ ପଡିଛନ୍ତି ।

ସୁନ୍ଦରଗଡ଼ ଜିଲାର ପ୍ରଭାତ କୁମାର ଭୋଳ ଚୁଡାନ୍ତ ପ୍ରାର୍ଥୀ ତାଲିକାରୁ ବାଦ ପଡିଛନ୍ତି । ରବିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଓସିଏ । ତେବେ ଏହି ତାଲିକା ଅନୁଯାୟୀ ସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହାନଙ୍କ ମଧ୍ୟରେ ହେବ ଲଢେଇ । ସେହିପରି ଉପସଭାପତି ପଦ ଲଢେଇରେ ଅକ୍ଷୟ କୁମାର ସାମନ୍ତ ଓ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ମୁଁହାମୁହିଁ ହେବେ ।ଅନ୍ୟପଟେ ସମ୍ପାଦକ ପଦ ପାଇଁ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରାଙ୍କୁ ଟକ୍କର ଦେବେ ନବ ରଞ୍ଜନ ପଟ୍ଟନାୟକ । ଯୁଗ୍ମ ସମ୍ପାଦକ ପଦ ପାଇଁ ମେହେତାଵ ଖାନ ଓ ସୁଜିତ କୁମାର ପ୍ରଧାନ ମୁଁହାମୁହିଁ ହେବେ । ଏହି କ୍ରମରେ କୋଷାଦକ୍ଷ ପଦ ପାଇଁ ଅନୀଲ କୁମାର ବିଶ୍ବାଳ ଓ ବିକାଶ ପ୍ରଧାନ ଲଢେଇ କରିବେ । ଶେଷରେ ଆପେକ୍ସ କାଉନ୍ସିଲ ପାଇଁ ଶୁଭାଶିଷ ସେନାପତି ଏକମାତ୍ର ପ୍ରାର୍ଥୀ ଚୟନ ହୋଇଛନ୍ତି ।ତେବେ ମୋଟ ୬ଟି ପଦ ପାଇଁ ୧୧ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି ଓସିଏ ନିର୍ବାଚନ କମିଶନର ଏମଏଲ ମଜୁମଦାର ।