ଆକାଂକ୍ଷା ଜିଲ୍ଲା ତାଲିକାରେ କୋରାପୁଟ ଓ ନୂଆପଡ଼ା

ଭୁବନେଶ୍ୱର : ଆଗକୁ ବଢ଼ୁଛି ପଛୁଆ ଜିଲ୍ଲା । ଓଡ଼ିଶାର ପଛୁଆ ଜିଲ୍ଲାଙ୍କୁ ନୀତି ଆୟୋଗ ପ୍ରଶଂସା କରିଛି । ଭାରତର ଶ୍ରେଷ୍ଠ ୫ଟି ଜିଲ୍ଲାମାନଙ୍କ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଏବଂ କୋରାପୁଟ ସ୍ଥାନ ପାଇଛି । ପଛୁଆ ପାଇଁ ନୁହେଁ ବରଂ ବିକାଶ ପାଇଁ ଆକାଂକ୍ଷା ଜିଲ୍ଲାର ତାଲିକାରେ ସ୍ଥାନ ପାଇଛି ଏହି ଦୁଇଟି ଜିଲ୍ଲା । ନୀତି ଆୟୋଗ ପକ୍ଷରୁ ଗୁରୁବାର ଦ୍ୱିତୀୟ ଡେଲ୍ଟା ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଯେଉଁଥିରେ ଆକାଂକ୍ଷା ଜିଲ୍ଲାମାନଙ୍କ ତାଲିକାରେ ନୂଆପଡ଼ା ଦ୍ୱିତୀୟ ସ୍ଥାନ ପାଇଛି ।

ସେହିପରି ତାଲିକାର ପଞ୍ଚମ ସ୍ଥାନରେ କୋରାପୁଟ ରହିଛି । ଡେଲ୍ଟା ର‌୍ୟାଙ୍କିଙ୍ଗରେ ୬ଟି କ୍ଷେତ୍ରରେ ବିକାଶ ମୂଳକ କାର୍ଯ୍ୟକୁ ବିଚାରକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ସ୍କିଲ୍ ଡ଼େଭଲପ୍ମେଣ୍ଟ ଏବଂ ଭିତ୍ତିଭୂମିକୁ ଆଧାର କରି ଏହି ର‌୍ୟାଙ୍କ ଦିଆଯାଇଛି । ତେବେ ତାଲିକାରେ ପଛରେ ପଡ଼ିଛନ୍ତି ବିଜେପି ଶାସିତ ଝାଡ଼ଖଣ୍ଡ ଏବଂ ଆସାମ । ଏହି ତାଲିକାରେ ତାମିଲନାଡ଼ୁର ବିରୁଧୁନଗର ଜିଲ୍ଲା ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି । ଓଡ଼ିଶାର ନୂଆପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ତୃତୀୟ ଏବଂ ବିହାରର ଔରଙ୍ଗାବାଦ ଜିଲ୍ଲା ଚତୁର୍ଥ ସ୍ଥାନରେ ଏବଂ ଓଡ଼ିଶାର କୋରାପୁଟ ପଞ୍ଚମ ସ୍ଥାନରେ ରହିଛି । ଟାଟା ଟ୍ରଷ୍ଟ ବିଲାନ ମେଲିଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ନୀତି ଆୟୋଗକୁ ଏହି ତଥ୍ୟ ପ୍ରଦାନ କରାଯାଇଥିଲା । ପଛୁଆ ଜିଲ୍ଲାମାନଙ୍କର ତ୍ୱରିତ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ, ଜୁନ ମାସ ୨୦୧୮ରୁ ସର୍ଭେ ଆରମ୍ଭ ହୋଇଥିଲା ।