କେନ୍ଦ୍ରାପଡା : ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନସିପ୍ (ଏନଆରସି)ର ନବୀକରଣ କରାଯିବ। ଏଥିଲାଗି କେନ୍ଦ୍ରାପଡା ଜିଲ୍ଲାରେ ରହୁଥିବା ବିଦେଶୀ ନାଗରିକଙ୍କ ଚିହ୍ନଟ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ। ଗତ ସେପ୍ଟେମ୍ବର ୨୦ ତାରିଖରେ ଗୃହ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ ଦେଶରେ ଏନଆରସି କାର୍ଯ୍ୟକାରୀ କରୁଥିବା ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ଉକ୍ତ ପତ୍ରରେ ସେ ଉଲ୍ଲେଖ କରିଛନ୍ତି କି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସକ୍ୟୁରୀ ଆଇନଜୀବୀ ମୋହିତ ଅଗ୍ରୱାଲ୍ ୨୦୧୮ ନଭେମ୍ବର ୨୬ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏନଆରସିର ନବୀକରଣ ଲାଗି ନିର୍ଦ୍ଦେଶ ଦିଆଯିବାକୁ ସୁପାରିସ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ଏହାକୁ ଗ୍ରହଣ କରି ୨୦୧୯ ଜାନୁଆରୀ ୨୧ରେ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ଆମିକସ କ୍ୟୁରିଙ୍କ ପରାମର୍ଶ ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ପ୍ରସଙ୍ଗଟି ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେସିପ୍ (ଏନଆରସି)ର ନବୀକରଣ ସଂପର୍କିତ ତେଣୁ ଏହାକୁ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆଙ୍କୁ ପ୍ରେରଣ କରାଯାଉଥିବା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଗୃହ ମନ୍ତ୍ରାଳୟର ସହକାରୀ କମାଣ୍ଡାଣ୍ଟ (ଆଇନ) ଶକ୍ତି ପ୍ରକାଶ।
ପୂର୍ବରୁ ଆସାମରେ ଏନଆରସି ଲାଗୁ କରାଯାଇଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କହିଥିଲେ । ଏବେ ଏହି ଚିଠି ପରେ କେନ୍ଦ୍ରପଡାରେ ଏନଆରସି ଲାଗୁ ହୋଇପାରେ ବୋଲି କୁହାଯାଉଛି ।
ପୂର୍ବରୁ ସୂଚନା ମିଳିଥିଲା ଯେ ବାସ୍ତବରେ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକରେ ନିଜର ଆସ୍ଥାନ ଜମାଇ ସାରିଛନ୍ତି। ଅଭିଯୋଗ ହେଉଛି କି ସ୍ଥାନୀୟ ରାଜନେତାଙ୍କୁ ହାତ କରି କିଏ ଭୋଟ୍ ପରିଚୟପତ୍ର ହାସଲ କରିନେଲାଣି ତ କିଏ ଆଧାର କାର୍ଡ ପ୍ରସ୍ତୁତ କରି ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକ୍ର ଏମିତି କିଛି ଅଞ୍ଚଳ ଅଛି ଯାହାକୁ ଲୋକେ ‘ମିନି ବାଂଲାଦେଶ’ ବୋଲି କହୁଛନ୍ତି।
କିଛିଦିନ ତଳେ ପ୍ରକାଶ ପାଇଥିଲା ଆସାମର ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି)ରେ ସ୍ଥାନୀତ ବ୍ୟକ୍ତିଙ୍କ ନାମ ତାଲିକା | ଏହି ତାଲିକାରେ ସ୍ଥାନ ପାଇବା ଲାଗି ୩ କୋଟି ୧୧ ଲକ୍ଷ ୨୧ ହଜାର ୦୦୪ ଜଣ ବ୍ୟକ୍ତି ଯୋଗ୍ୟତା ହାସଲ କରିଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ତାଲିକାରୁ ବାଦ ପଡିଛନ୍ତି |