ବଦଳିଲା ନିୟମ: କାଲି ରବିବାର ଖୋଲିବ ବ୍ୟାଙ୍କ

ନୂଆଦିଲ୍ଲୀ:୨୦୧୯ ସେପ୍ଟେମ୍ବର ୧ରୁ ଅନେକ ନିୟମରେ ପରିବର୍ତ୍ତନ ହେଉଛି। କିଛି ନିୟମ ଆପଣଙ୍କୁ ଫାଇଦା ହେଉଥିବା ବେଳେ ଆଉ କିଛି ନିୟମ ଆପଣଙ୍କ ପାଇଁ କ୍ଷତି ମଧ୍ୟ ହେବ। କିନ୍ତୁ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏହା ଭଲ ଖବର। ମାତ୍ର ନୂତନ ନିୟମ ମୁତାବକ ବ୍ୟାଙ୍କ ସକାଳ ୯ଟାରେ ଖୋଲିବ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ ଡିଭିଜନ ସମସ୍ତ ସରକାରୀ ଓ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କଗୁଡିକୁ ସକାଳ ୯ଟାରେ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ସାଧାରଣତଃ ସରକାରୀ ବ୍ୟାଙ୍କରେ କାମ ୧୦ଟାରେ ଆରମ୍ଭ ହୋଇଥାଏ। କିନ୍ତୁ ସେପ୍ଟେମ୍ବର ୧ ଅର୍ଥାତ ଆସନ୍ତାକାଲିଠୁ ସମସ୍ତ ସରକାରୀ ଓ ଗ୍ରାମୀଣ ବ୍ୟାଙ୍କ(ଆରଆରବି) ସକାଳ ୯ଟାରେ ଖୋଲିବ। ମାତ୍ର କାଲି ରବିବାର ପଡୁଥିବାରୁ କାର୍ଯ୍ୟଦିବସରେ ଏହି ନିୟମ ଲାଗୁ  ହେବ। 

ଏବେ ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଂ ଡିଭିଜନ ନିଷ୍ପତ୍ତି ନେଇଛି ଯେ ସମଗ୍ର ଦେଶରେ ବ୍ୟାଙ୍କ ଖୋଲିବାର ସମୟ ସମାନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବ୍ୟାଙ୍କିଙ୍ଗ ଡିଭିଜନ କନଫରେନ୍ସ ଜରିଆରେ ଜୁନରେ ବୈଠକ କରିଥିଲେ। ଏହି ବୈଠକରେ ସ୍ଥିର ହୋଇଥିଲା ଯେ,  ବ୍ୟାଙ୍କର ଶାଖା ଗ୍ରାହକଙ୍କ ସୁବିଧା  ହିସାବରେ ବ୍ୟାଙ୍କ ଖୋଲିବା ଉଚିତ୍। ଏଥିରେ ବ୍ୟାଙ୍କ ଶାଖା ଖୋଲିବାର ସମୟରେ  ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି।  

ଆଇବିଏ ଜୁନ ୨୪ରେ ଗ୍ରାହକଙ୍କ ସୁବିଧାରେ ଗଠିତ ଉପକମିଟିର ବୈଠକରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ତିନୋଟି ବିକଳ୍ପ ଦେଇଥିଲା। ପ୍ରଥମ ସକାଳ ୯ଟାରୁ ଅପରାହ୍ନ ୩ଟା, ଦ୍ଵିତୀୟ ସକାଳ  ୧୦ଟାରୁ ସନ୍ଧ୍ୟା ୪ଟା ଓ ତୃତୀୟ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ। ଆଇବିଏ ବ୍ୟାଙ୍କଗୁଡିକୁ କହିଥିଲା ଯେ, ଅଗଷ୍ଟ ୩୧ ସୁଦ୍ଧା ଜିଲ୍ଲାସ୍ତରୀୟ ଗ୍ରାହକଙ୍କ ସମନ୍ଵୟ କମିଟି ବୈଠକ କରି ସମୟ ସ୍ଥିର କରନ୍ତୁ ଏବଂ ଏହାର ସୂଚନା ସ୍ଥାନୀୟ ଖବରକାଗଜକୁ ମଧ୍ୟ ଦିଅନ୍ତୁ। 

ଯେଉଁଠି ଗ୍ରାହକ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସେବା ଚାହୁଁଛନ୍ତି ସେଠାରେ ପୂର୍ବ ପରି ସକାଳ ୧୦ଟା କିମ୍ବା ୧୧ଟାରେ ବ୍ୟାଙ୍କ ଖୋଲିବାର ବିକଳ୍ପ ମଧ୍ୟ ରହିଥିଲା। ମୁଖ୍ୟତଃ ସକାଳ ୯ଟାରୁ ବ୍ୟାଙ୍କ ଖୋଲିବା ଉପରେ ପ୍ରାଧ୍ୟାନ୍ୟ ଦିଆଯାଇଥିଲା। ଏହି ନିଷ୍ପତ୍ତି ସମସ୍ତ ସରକାରୀ ବ୍ୟାଙ୍କ ତଥା କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ(ଆରଆରବି) ଉପରେ ଲାଗୁ ହେବ।