ପ୍ରକାଶ ପାଇଲା ବିଜେପୁର ଉପ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର:ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଆସନ ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେପୁର ରିଟର୍ଣ୍ଣିଂ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ସହିତ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ବିଜ୍ଞପ୍ତି ମୁତାବକ, ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଦିନ ଏଗାରଟାରୁ ଅପରାହ୍ନ ତିନିଟା ମଧ୍ୟ ନାମାଙ୍କନ ଦାଖଲ କରିହେବ । ପ୍ରାର୍ଥୀମାନେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିପାରିବେ । ଏହା ପରେ ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଅକ୍ଟୋବର ୩ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି । ଅକ୍ଟୋବର ୨୧ରେ ମତଦାନ । ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ମତଦାନ ଚାଲିବ । ଏହା ପରେ ୨୪ ତାରିଖରେ ଭୋଟ୍ ଗଣତି ହେବ । ୨୭ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ବିଜେପୁର ନିର୍ବାଚନ ମଣ୍ଡଳୀରେ ମୋଟ ୧୮୫ଟି ବୁଥରେ ମତଦାନ ହେବ ।

ଅନ୍ୟପକ୍ଷରେ ରାଜ୍ୟର ପ୍ରମୁଖ ତିନୋଟି ଦଳ ଏବେ ପ୍ରାର୍ଥୀ ଚୟନ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ଏ ଯାଏଁ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି । ଆଜି ବିଜେଡ଼ିର ସମନ୍ୱୟ କମିଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ସାଧାରଣ ନିର୍ବାଚନରେ ଖୋଦ ମୁଖ୍ୟମନ୍ତ୍ରୀ ସେଠାରୁ ଲଢ଼ି ବିଜେପି ପ୍ରାର୍ଥୀ ପ୍ରାର୍ଥୀ ଶନତ ଗରତିଆଙ୍କୁ ୫୩ହଜାରରୁ ଅଧିକ ଭୋଟରେ ପାରସ୍ତ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କ ହିଞ୍ଜିଳି ଆସନକୁ କାଏମ ରଖି ବିଜେପୁର ଆସନ ଛାଡ଼ିଛନ୍ତି ।