ରାଜଧାନୀର ୧୦ ସପିଂ ମଲ୍ ସହ ୩ ହସ୍ପିଟାଲକୁ ବିଡିଏର ନୋଟିସ୍‌

ଭୁବନେଶ୍ୱର:ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବାରମ୍ବାର ତାଗିଦ ପରେ ରାଜଧାନୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପାର୍କିଂ ଫି ଆଦାୟ କରୁଛନ୍ତି । ଆଜି ପୁଣି ଥରେ ରାଜଧାନୀ ୧୦ଟି ସପିଂ ମଲ ଓ ୩ଟି ହସ୍ପିଟାଲକୁ ନୋଟିସ୍‌ ଜାରି କରାଯାଇଛି । ଏହି ସବୁ ପ୍ରତିଷ୍ଠାନକୁ ଅଫ୍‌-ଷ୍ଟ୍ରିଟ୍‌ ପାର୍କିଂ ଶୁଳ୍କ ଆଦାୟ ପାଇଁ ନୋଟିସ୍‌ ଜାରି କରାଯାଇଥିବା ବିଡିଏ ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁଙ୍କ ସୂଚନା ଦେଇଛନ୍ତି ।

ବ୍ୟସାୟିକ ପ୍ରତିଷ୍ଠାନ ଯଥା ସିମ୍ଫୋନି ମଲ, ଦ ଓ୍ଵାଲର୍ଡ, ଫୋରମ୍‌ ମାର୍ଟ, ମାରୁତି ମଲ, ପାଲ ମନ୍ତ୍ରା, ପାଣ୍ଟାଲୁନ୍‌ସ, ଭବାନି କମର୍ସିଆଲ୍ ଏନ୍‌କ୍ଲେଭ, ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଓ ଡିଏନ୍‌ ରିଗାଲିଆକୁ ନୋଟିସ୍‌ ଜାରି ହୋଇଛି । ସେହିପରି ଆପୋଲୋ ହସ୍‌ପିଟାଲ, କଳିଙ୍ଗ ହସ୍‌ପିଟାଲ ଓ କେୟାର ହସ୍‌ପିଟାଲ ଆଦିକୁ ପାର୍କିଂ ଶୁଳ୍ପ ଆଦାୟ ରୋକିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।  ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରନ୍ତି ତାହା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବିଲ୍ଡିଂ ପ୍ଲାନ୍‌ ଅନୁମତି ବେଳେ ପାର୍କିଂ ପ୍ଲାନ୍‌ ପାଇଁ ରିହାତି ଦିଆଯିବ । ଆଇନ ଉଲଂଘନ କଲେ ଓଡ଼ିଏ ଆକ୍ଟ ୧୯୮୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡ଼ିଲେ ବିଲଡିଂର ପ୍ଲାନ୍‌ ଅନୁମତି ମଧ୍ୟ ପ୍ରତ୍ୟାହାର କରାଯାଇପାରେ । ଫାସିଲିଟେସନ ଚାର୍ଜ ନାମରେ କୌଣସି ପାର୍କିଂ ଫି ଆଦାୟ ହୋଇପାରିବ ନାହିଁ ବୋଲି ନୋଟିସ୍‌ରେ କୁହାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଭୁବନେଶ୍ୱରରେ ଥିବା ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ଥିବା ନିଜସ୍ୱ ପାର୍କିଂ ଅଂଚଳରୁ ଲୋକଙ୍କଠାରୁ ଫି ଆଦାୟ କରାଯିବ ନାହିଁ ବୋଲି ବିଡିଏ କମିଶନର୍‌ କହିଥିଲେ । ଯେଉଁମାନେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ବାହାରେ ପାର୍କିଂ କରିଥିବେ ସେମାନଙ୍କଠାରୁ ବିଡିଏ ଜରିମାନା ଆଦାୟ କରିବ ବୋଲି କୁହାଯାଇଥିଲା । ମାତ୍ର କିଛି ସପିଂ ମଲ୍‌ ନିର୍ଦ୍ଦେଶନାମାର ଅବମାନନା କରିଥିଲେ ।