ଆରପାରିରେ ବଲିଉଡର ଆକ୍ସନ ଡାଇରେକ୍ଟର ପରଭେଜ୍ ଖାନ୍

ମୁମ୍ବାଇ : ବର୍ଷ ୨୦୨୦ ସମସ୍ତଙ୍କୁ ନାକେଦମ କରିଦେଲାଣି। ମହାମାରୀ ସାଙ୍ଗକୁ ଗୋଟିଏ ପରେ ଗୋଟିଏ ସୁନାମଧନ୍ୟ କଳାକାର ଫ୍ୟାନ୍ସଙ୍କୁ ଅଲିବିଦା କହି ବିଦାୟ ନେବାରେ ଲାଗିଛନ୍ତି। ସତେ ଯେମିତି ବଲିଉଡ୍ ଠାରୁ ଓଲିଉଡ୍ ଜଗତକୁ କାହାର କଳା ନଜର ଲାଗି ଯାଇଛି।

ତେବେ ଜଣାଶୁଣା ବଲିଉଡର ଆକ୍ସନ୍ ନିର୍ଦ୍ଦେଶକ ପରଭେଜ୍ ଖାନ୍ ଜୁଲାଇ ୨୭ , ୨୦୨୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ସକାଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ହୃଦଘାତରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲେ।

ପରଭେଜଙ୍କ ମୃତ୍ୟୁ ବିଷୟରେ ଚଳଚ୍ଚିତ୍ର ନିର୍ମାତା ହନ୍ସଲ ମେହେଟ୍ଟା ଟ୍ୱିଟ କରି ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ”କେବଳ ଶୁଣିଛି ଯେ ଆକ୍ସନ୍ ନିର୍ଦ୍ଦେଶକ ପରଭେଜ୍ ଖାନ୍ ଆଉ ନାହାଁନ୍ତି। ଆମେ ସହିଦରେ ଏକାଠି କାମ କରିଥିଲୁ ଯେଉଁଠାରେ ସେ ଦଙ୍ଗାର କ୍ରମକୁ ଗୋଟିଏ ସଟରେ ନେଇଥିଲେ। ବହୁତ ଦକ୍ଷ, ଶକ୍ତିଶାଳୀ ଏବଂ ଜଣେ ଭଲ ମଣିଷ। ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ, ପରଭେଜ୍ । ତୁମର ସ୍ୱର ମୋ କାନରେ ବାଜୁଛି! ବୋଲି ସେ ଲେଖିଛନ୍ତି।”

ପରଭେଜ ଖାନ ଆନ୍ଧାଧୁନ, ବଦଲାପୁର, ବୁଲେଟ ରାଜା, ଫୁକ୍ରେ, ର-ୱାନ୍, ବିଶ୍ୱାରୂପମ, ବିଶ୍ୱାରୂପମ ୨, ଦେବ୍ ଡି, ଗ୍ୟାଙ୍ଗଷ୍ଟାର, ସେହର, ଅବ୍ ତକ୍ ଛପନ୍, ଦ ଲିଜେଣ୍ଡ ଅଫ୍ ଭଗବତ୍ ସିଂ, ସୋଲଜର, ମିଷ୍ଟର ଆଣ୍ଡ ମିଷ୍ଟେ୍ରସ ଖିଲାଡି ପରି ହିଟ୍ ବଲିଉଡରେ ମୁଭିରେ କାମ କରିଛନ୍ତି । ପରଭେଜ ଖାନଙ୍କ ପତ୍ନୀ ଏବଂ ପୁଅ, ବୋହୂ ଏବଂ ନାତୁଣୀ ଅଛନ୍ତି। ତାଙ୍କର ଶେଷ ପ୍ରୋଜେକ୍ଟ ଥିଲା ଦିବ୍ୟାକର ବାନାର୍ଜୀଙ୍କ ‘ସନ୍ଦୀପ ଅର ପିଙ୍କି ଫରାର’।