କାଲି ମୋଦି ସରକାରର ଅଗ୍ନି ପରୀକ୍ଷା : ହ୍ୱିପ୍ ଜାରି କରି ଥିବା ବିଜେଡି ଭୋଟିଂ ବେଳେ କେଉଁ ପଟେ ରହିବ?

ଭୁବନେଶ୍ବର  : କାଲି ମୋଦି ସରକାରର ଅଗ୍ନି ପରୀକ୍ଷା । ୪ ବର୍ଷର ଶାସନ କାଳରେ ଦ୍ୱିତୀୟ ଥର ପାଇଁ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟିଂ । କମ୍ଫଟେବୁଲ୍ ପୋଜିସନରେ ଥିବା ବିଜେପି, ଆସ୍ଥା ଭୋଟ୍ ଜିତିବା ନେଇ ଫୁଲ୍ କନଫିଡେଣ୍ଟ ଏନଫ୍ । ତଥାପି ମନ ଭିତରେ ଶଙ୍କା ରହୁଥିବାରୁ ଦଳୀୟ ସାଂସଦଙ୍କ ପାଇଁ ଆଜିଠାରୁ କାଲି ପର୍ଯ୍ୟନ୍ତ ଲଞ୍ଚ, ଡିନର୍ ବ୍ୟବସ୍ଥା କରିଛି ବିଜେପି । ସହଯୋଗୀଙ୍କୁ ମନାଇବାରେ ଲାଗିଛି । ତେବେ କେଉଁ ପଟେ ରହିବ ବିଜେଡି ? ଅନାସ୍ଥା ପ୍ରସ୍ତାବ ବେଳେ ଦଳର ସବୁ ସାଂସଦ ଉପସ୍ଥିତ ରହିବେ ବୋଲି ହ୍ୱିପ୍ ଜାରି କରିଛି ବିଜେଡି । ହେଲେ ଏଯାଏଁ କାର୍ଡ ଖୋଲିନି ।

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ବେଳେ କେଉଁ ପଟେ ରହିବ ବିଜେଡି ? ମୋଦିଙ୍କ ରହିବ ନା ରାହୁଲଙ୍କ ପଟେ ନା କେଉଁ ପଟେ ନୁହେଁ ? ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ବେଳେ, ଦଳର ସବୁ ସାଂସଦ ଉପସ୍ଥିତି ରହିବାକୁ ବିଜେଡି ହ୍ୱିପ୍ ଜାରି କରିଛି । କିନ୍ତୁ କାର୍ଡ ନଖୋଲି, ସଂସଦୀୟ ଦଳ ନିଷ୍ପତ୍ତି ନେବ କହି ନିଷ୍ପତ୍ତି ଝୁଲାଇ ରଖିଛି । ବିତର୍କ ପରେ ଭୋଟିଂ ପୂର୍ବରୁ ଦଳ ନିଷ୍ପତ୍ତି ନେବ ବୋଲି ବିଜେଡି ସୂଚନା ଦେଇଛି ।

ଲୋକସଭାର ମୋଟ ଆସନ ସଂଖ୍ୟା ୫୪୫ ହୋଇଥିବା ବେଳେ ଏବେ ଅଛନ୍ତି ୫୩୩ ସଦସ୍ୟ । ଏଭଳି ସ୍ଥିତିରେ ମ୍ୟାଜିକ୍ ନମ୍ବର ହେଉଛି ୨୬୬ । କିନ୍ତୁ ଦେଖିବାକୁ ଗଲେ ବାଚସ୍ପତିଙ୍କୁ ମିଶାଇ କେବଳ ବିଜେପି ପାଖରେ ଅଛନ୍ତି ୨୭୨ ସଦସ୍ୟ । ସେପଟେ ତେଲଗୁ ଦେଶମ ପାର୍ଟି କାନ୍ଧରେ ଅନାସ୍ଥା ପ୍ରସ୍ତାବର ବନ୍ଧୁକ ରଖି କଂଗ୍ରେସ, ଏହି ମୌକାରେ ମୋଦି ବିରୋଧୀ ଦଳଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବାକୁ ଚାହୁଁଛି । ତେଣୁ କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତା କଥା କହୁଥିବା ବିଜେଡି, ବିତର୍କରେ ଭାଗ ନେଇ ଭୋଟ ବେଳେ କକ୍ଷ ତ୍ୟାଗ କରିପାରେ ବୋଲି ଆଲୋଚନା ହେଉଛି । ଯାହାକୁ କଂଗ୍ରେସ ଓ ବିଜେପି ସହଜରେ ଗ୍ରହଣ କରିବାକୁ ନାରାଜ।

ଏନଡିଏ ମେଣ୍ଟରେ ଥାଇ ମୋଦି ସରକାରଙ୍କୁ ସମାଲୋଚନାକରି ଚାଲିଛି ଶିବସେନା । ତେବେ ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାକୁ ଯାଉଥିବା ବେଳେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଥାକରେଙ୍କ ସହ ଫୋନରେ କଥା ହୋଇଛନ୍ତି ବିଜେପି ସଭାପତି ଅମିତ ଶାହା । ସେପଟେ ବିଜେପି ତାର ସମସ୍ତ ସାଂସଦଙ୍କ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିବା ସହ ଆଜିଠାରୁ କାଲି ପର୍ଯ୍ୟନ୍ତ ଲଞ୍ଚ, ଡିନର୍ ବ୍ୟବସ୍ଥା କରିଛି ।