ଚିଲିକାରେ ହେବନି ସି-ଏରୋଡ୍ରମ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଚିଲିକାରେ ପ୍ରସ୍ତାବିତ ୱାଟର୍ ଏରୋଡ୍ରମ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ଶେଷରେ ବାତିଲ୍ କରିଛନ୍ତି । ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ରାଜ୍ୟର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ‘ଏଏଆଇ’ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ଏହି ଚିଠି ଲେଖି ଥିବା ଜଣାଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି, ଏୟାରପୋର୍ଟ ଅଥରିଟି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରକଳ୍ପ ଯୋଗୁଁ ଚିଲିକାର ଜୈବ ବିବିଧତା ଓ ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ତେଣୁ ତାହାକୁ ବାତିଲ୍ କରାଯାଇଛି ।

ରାଜ୍ୟର ବିକାଶ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଯୋଜନା ପ୍ରସ୍ତୁତ କରିଛି । ଯଦି ରାଜ୍ୟ ସରକାର ଅନ୍ୟ କୌଣସି ସ୍ଥାନରେ ୱାଟର୍ ଏରୋଡ୍ରମ୍ ପାଇଁ ପ୍ରସ୍ତାବ ଦିଅନ୍ତି, ତେବେ ସେଥିପାଇଁ ସହାୟତା ଯୋଗାଇ ଦିଆଯିବ । ଗତ ୬ରେ ବିଧାନସଭାରେ ବିଧାୟକ ସଂଜୟ ଦାସବର୍ମା ଚିଲିକା ି ଏରୋଡ୍ରମ୍ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ । ସିଡିଏ ମଧ୍ୟ ଚିଲିକାରେ ପ୍ରସ୍ତାବିତ ସି-ଏରୋଡ୍ରମ୍କୁ ବିରୋଧ କରି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଗତ ଅଗଷ୍ଟ ମାସରେ ଚିଲିକାରେ ୱାଟର୍ ଏରୋଡ୍ରମ୍ ସ୍ଥାପନ କରିବା ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ଚାଲିଥିଲା ।