ରାଜଧାନୀରେ ପାର୍କିଂ ଫି ମନା, ଫି ଆଦାୟ ନକରିବାକୁ ବିଡିଏର ନୋଟିସ୍

ଭୁବନେଶ୍ଵର:ଆପଣ ଦେଖିଥିବେ ରାଜଧାନୀ ଭୁବନେଶ୍ଵରର ଅନେକ ସ୍ଥାନରେ ଗାଡ଼ି ରଖିଲେ ଆପଣଙ୍କୁ ପାର୍କିଂ ଫି ଦେବାକୁ ପଡ଼ିଛି। ସେ ସପିଂ ମଲ ହେଉ କି କର୍ମସିଆଲ ବିଲ୍ଡିଂ  ହେଉ ଲୋକଙ୍କୁ ପାର୍କିଂ ଫି ଦେବାକୁ ପଡ଼ିଥାଏ। କିଛି ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ପାର୍କିଂ ଫି ଆଦାୟ କରୁଥିବା ଦେଖିବାକୁ ମଧ୍ୟ ମିଳୁଥିଲା, କିନ୍ତୁ ଏବେ ଆପଣଙ୍କୁ ଆଉ କୌଣସି ପାର୍କିଂ ପାଇଁ ଫି ଦେବାକୁ ପଡ଼ିବନି। ଏ ସଂକ୍ରାନ୍ତରେ ବୁଧବାର ବିଡିଏ ପକ୍ଷରୁ ନୋଟିସ୍ ଜାରି  କରାଯାଇଛି। 

ଅନେକ ଦିନ ପରେ ଚେତା ବସିବା ପରେ ପାର୍କିଂ ଫି ବ୍ୟବସ୍ଥା ବନ୍ଦ ନେଇ ବିଡିଏ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସପିଂମଲ, କମର୍ସିଆଲ ବିଲ୍ଡିଂ, ହସ୍ପିଟାଲ ପାଖରେ ପାର୍କିଂ ଫି ଆଦାୟ ନକରିବାକୁ ବିଡିଏ ନିର୍ଦ୍ଦେଶ ଦେଇଛି। ଯଦି କେହି ଫି ଆଦାୟ କରେ ତେବେ କାର୍ୟ୍ୟାଂନୁଷ୍ଠାନ ନିଆଯିବ ବୋଲି ବିଡିଏ କହିଛି। 

ଉଲ୍ଲେଖଯୋଗ୍ୟ, ରାଜଧାନୀର ଅନେକ ସପିଂ ମଲ, କମର୍ସିଆଲ ବିଲ୍ଡିଂ, ହସ୍ପିଟାଲ ପାଖରେ କେଉଁଠି ଗାଡ଼ି ରଖିଲେ ପାର୍କିଂ ଫି ବାବଦରେ କେଉଁଠି ୧୦ ଟଙ୍କା ତ କେଉଁଠି ୫ ଟଙ୍କା ଆଦାୟ କରାଯାଉଥିଲା। ଆଦାୟକାରୀମାନେ ବିଡିଏର ନାଁରେ ଏମିତି ଧନ୍ଦା ଚଲାଇଥିଲେ। ଆଦାୟକାରୀ ଖଣ୍ଡେ ରସିଦ୍ ଦେଉଥିବାରୁ ଲୋକେ ଏହା ପ୍ରଶାସନ ପକ୍ଷରୁ କରାଯାଉଥିବା ଧରି ନେଇଥିଲେ। ଯାହାର ଫାଇଦା ଉଠାଉଥିଲେ କିଛି ଅସାଧୁ ବ୍ୟକ୍ତି।