ପୁରୀ: ଆଜିଠାରୁ ପୁରୀରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ । ଏହି ନିୟମ ଆଜିଠାରୁ କଡାକଡି କରାଯାଇଛି । ସେହି ଅନୁଯାୟୀ ଜିଲ୍ଲାର ସବୁ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଚିଠି କରିଛି ଯୋଗାଣ ବିଭାଗ। ଯେଉଁମାନେ ହେଲ୍ମେଟ୍ ପିନ୍ଧିଥିବେ, ସେମାନଙ୍କୁ ହିଁ ପେଟ୍ରୋଲ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଏହି ଚାଳକଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖିବାକୁ ବି କୁହାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଗାଡ଼ି ନମ୍ବର ଟ୍ରାକ୍ କରି ଇ-ଚାଲାଣ କାଟିବାକୁ ନିଷ୍ପତି ନିଆଯାଇଥିବା ଯୋଗାଣ ଅଧିକାରୀ ତୁଷାର ଦେଓ ସୂଚନା ଦେଇଛନ୍ତି।
ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରୁ କରାଯାଇଥିବା ଚିଠି (୧୮୬୦/୨୭.୦୨.୨୦)ରେ କୁହାଯାଇଛି, ଦୁଇଚକିଆ ଗାଡ଼ିରେ ପେଟ୍ରୋଲ୍ ଭରିବା ସମୟରେ ଚାଳକ ଜଣକ ହେଲ୍ମେଟ୍ ପିନ୍ଧିଛନ୍ତି କି ନାହିଁ ପେଟ୍ରୋଲ୍ ପମ୍ପ ମାଲିକମାନେ ନଜର ରଖିବେ। ଯଦି କୌଣସି ଚାଳକ ହେଲ୍ମେଟ୍ ପିନ୍ଧି ନାହାନ୍ତି, ତାଙ୍କୁ କୌଣସି ପରିସ୍ଥିତିରେ ବି ପେଟ୍ରୋଲ୍ ଦେବେନି। ପେଟ୍ରୋଲ୍ ପମ୍ପ ମାଲିକମାନେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପେଟ୍ରୋଲ୍ ପମ୍ପ ମାଲିକ ସେମାନଙ୍କ ପେଟ୍ରୋଲ୍ ପମ୍ପରେ ସିସିଟିଭି ଲାଗିଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ କରିବେ। ସିସିଟିଭି ଲାଗି ନଥିଲେ ତୁରନ୍ତ ସିସିଟିଭି ଲଗାଇ ଚାଳକଙ୍କ ଉପରେ ନଜର ରଖିବେ। ଏହାର ଫୁଟେଜ୍ ଦୈନିକ ଆଂଚଳିକ ପରିବହନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ।
ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦେଓ କହିଛନ୍ତି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ‘ନୋ ହେଲ୍ମେଟ୍, ନୋ ପେଟ୍ରୋଲ୍’ ନିୟମ ରବିବାର ଠାରୁ କଡ଼ାକଡ଼ି ଲାଗୁ କରାଯାଇଛି। ଏହାର ମୂଳ ଲକ୍ଷ୍ୟ ସୁରକ୍ଷିତ ଗାଡ଼ି ଚାଳନା ଦିଗରେ ଲୋକଙ୍କୁ ସଚେତନ କରିବା। ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହାକୁ ଚାଳକମାନେ ମାନିବାକୁ ନାରାଜ। ଏଥିପାଇଁ ଲୋକେ କିଭଳି ହେଲ୍ମେଟ୍ ପିନ୍ଧି ନିଜକୁ ସୁରକ୍ଷିତ ରଖିପାରିବେ, ସେ ଦିଗରେ ସୂଚନା ଫଳକ ଲଗାଯିବ। ପ୍ରତ୍ୟେକ ପେଟ୍ରୋଲ୍ ପମ୍ପରେ ବଡ଼ ବଡ଼ ହୋର୍ଡିଂ ଦୃଶ୍ୟମାନ ହେବା ଭଳି ସ୍ଥାନରେ ଲଗାଯିବ। କେଉଁମାନେ ହେଲ୍ମେଟ୍ ପିନ୍ଧି ଆସୁଛନ୍ତି ଓ କେଉଁମାନେ ପିନ୍ଧୁ ନାହାନ୍ତି, ସିସିଟିଭିରେ ନଜର ରଖାଯିବ। ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କୁ ସଚେତନ କରାଯିବ। ପରେ ସିସିଟିଭି ଫୁଟେଜ୍ରୁ ନମ୍ବର ଟ୍ରାକ୍ କରି ଇ-ଚାଲାଣ କଟାଯିବ। ଘର ଠିକଣାରେ ଓ ମୋବାଇଲ୍ ନମ୍ବରରେ ଏହି ଇ-ଚାଲାଣ ପହଂଚିବ ବୋଲି ଶ୍ରୀ ଦେଓ କହିଛନ୍ତି।