ନାଗରିକତ୍ୱ ବିଲକୁ ନେଇ ଆସାମରେ ଅଶାନ୍ତି

ଗୌହାଟୀ: ନାଗରିକତ୍ୱ ବିଲକୁ ନେଇ ଆସାମରେ ଅଶାନ୍ତି ଦେଖିବାକୁ ମିଳିଛି । ଏହି ବିଲକୁ ବିରୋଧ କରି ଆସାମର ବିଭିନ୍ନ ଅଂଚଳରେ ବିଭିନ୍ନ ସଂସ୍ଥାର ଲୋକେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିସହ ଏହି ବିଲକୁ ବିରୋଧ କରି ରାଜ୍ୟର ସ୍କୁଲ, ପରୀକ୍ଷା ଏବଂ ବଜାର ଆଦି ବନ୍ଦ କରିବା ସହ ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ, ଟିଏମ୍‌ସି ସମେତ ଅନ୍ୟ କେତେକ ଦଳର ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ଗତକାଲି ନାଗରିକ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହୋଇଛି। ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣମୁସ୍‌ଲିମ୍‌ ସମ୍ପ୍ରଦାୟ ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାରେ ଏହା ସହାୟକ ହୋଇପାରିବ। ରବିବାର କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇଥିଲା। ସୋମବାର ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ମଞ୍ଜୁରି ମିଳିବା ପରେ ଏହାକୁ ଲୋକସଭାରେ ଆଗତ କରାଯାଇଥିଲା।

ଲୋକସଭାରେ ବିଲ୍‌କୁ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ‘ଏହି ବିଲ୍ ଆଇନରେ ପରିଣତ ହେବା ଦ୍ୱାରା ଆସାମ୍‌ର ଏନ୍‌ଆର୍‌ସି (ଜାତୀୟ ନାଗରିକ ପଞ୍ଜିକା) ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। କେବଳ ଆସାମକୁ ଲକ୍ଷ୍ୟରେ ରଖି ଏହି ବିଲ୍ ଅଣାଯାଇ ନାହିଁ। ବରଂ ଦେଶର ପଶ୍ଚିମ ଭାଗରେ ରହୁଥିବା ଶରଣାର୍ଥୀମାନଙ୍କୁ ଦୃଷ୍ଟିରେ ରଖି ଅଣାଯାଇଛି। ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଭଳି କେତେକ ରାଜ୍ୟକୁ ଏଥିରେ ସାମିଲ କରାଯାଇଛି। ପଡ଼ୋଶୀ ଦେଶଗୁଡ଼ିକରୁ ଆସୁଥିବା ଶରଣାର୍ଥୀମାନଙ୍କ କଲ୍ୟାଣ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।’