ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ । ଟିଡିପି ଏବଂ ଏନସିପି ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ବାଚସ୍ପତି ସୁମିତ୍ରା ମାହାଜନ । ଆସନ୍ତା ଶୁକ୍ରବାର ସରକାର ଦେବେ ଅଗ୍ନି ପରୀକ୍ଷା । ସେପଟେ ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଗୃହରେ ଦେଖିବାକୁ ମିଳିଛି ଝଡ଼ । ୨୦୦୩ ପରେ କେନ୍ଦ୍ରର କୌଣସି ସରକାରଙ୍କ ବିରୋଧରେ ଏଭଳି ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ ହୋଇଛି। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଟିଡିପି ନେତା କେସିନିଏନି ଶ୍ରୀନିବାସଙ୍କ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇଛି ବୋଲି ଆଜି ଗୃହକୁ ଅବଗତ କରାଇଛନ୍ତି। ଏହି ଅନାସ୍ଥା ନୋଟିସ୍ ଉପରେ ଶୁକ୍ରବାର ଅର୍ଥାତ୍ ଜୁଲାଇ ୨୦ରେ ମାରାଥନ୍ ଆଲୋଚନା ହେବ। ଶୁକ୍ରବାର ଗୃହରେ ଆଗତ ହେବାକୁ ଥିବା ସମସ୍ତ ବିଲ୍କୁ ସ୍ଥଗିତ ରଖାଯାଇ, ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୦୧୪ରେ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ମୋଦି ସରକାରଙ୍କ ବିରୋଧରେ ଏହା ପ୍ରଥମ ଅନାସ୍ଥା ପ୍ରସ୍ତାବ। ତେଣୁ ଶୁକ୍ରବାର ମୋଦି ସରକାରଙ୍କ ଅଗ୍ନିପରୀକ୍ଷା ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୩ରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ଅଟଳ ବିହାରୀ ବାଜପେୟୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।
ମୌସୁମୀ ଅଧିବଶନରେ ଝଡ଼ । ପାର୍ଲାମେଣ୍ଟ ଅଧିବେଶନର ପ୍ରଥମ ଦିନରେ ଝଡ଼ । ଖାଲି ଝଡ଼ ନୁହେଁ, ସରକାର ଅଗ୍ନି ପରୀକ୍ଷା ଦେବାକୁ ଏକ ରକମ ବାଧ୍ୟ କରିଛନ୍ତି । ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ ହେଉ ହେଉ ଗୃହର ମଧ୍ୟ ଭାଗକୁ ଉଠି ଆସିଥିଲେ ବିରୋଧୀ । କଂଗ୍ରେସ ସମେତ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ଶରଦ ପାୱାରଙ୍କ ଏନସିପି, ସରକାରଙ୍କ ବିରୋଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ୫୦ ସଦସ୍ୟଙ୍କ ସମର୍ଥନ ଗଣିବା ପରେ ବାଚସ୍ପତି ସୁମିତ୍ରା ମାହାଜନ ଏହାକୁ ଗ୍ରହଣ କରିଛନ୍ତି । ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟିଂ । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି, ବିରୋଧୀଙ୍କର ସିନା ସରକାରଙ୍କ ଉପରେ ଆସ୍ଥା ନାହିଁ, କିନ୍ତୁ ଦେଶବାସୀଙ୍କର ରହିଛି ।
ତେବେ ପାର୍ଲାମେଣ୍ଟରେ ସଂଖ୍ୟା ଚିତ୍ରକୁ ଦେଖିଲେ ଏବେ ବି ଓଜନିଆ ସ୍ଥିତିରେ ରହିଛି ବିଜେପି । ବିଜେପି ପାଖରେ ବାଚସ୍ପତିଙ୍କୁ ମିଶାଇ ମ୍ୟାଜିକ୍ ନମ୍ବର ଠିକ୍ ୨୭୨ ରହିଛି । କଂଗ୍ରେସର ୪୮ ସଦସ୍ୟ ଥିବା ବେଳେ ଏଆଇଏଡିଏମକେର ୩୭, ତୃଣମୂଳ କଂଗ୍ରେସର ୩୪, ବିଜେଡିର ୨୦ ଏବଂ ଅନ୍ୟାନ୍ୟ ୧୨୮ ସଦସ୍ୟ ଅଛନ୍ତି । ସେପଟେ ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡି ବର୍ତ୍ତମାନ ଯାଏଁ ଷ୍ଟାଣ୍ଡ୍ କ୍ଲିଅର୍ କରିନି । ଆସନ୍ତାକାଲି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ।