ଓଡ଼ିଶାରେ ନାହିଁ କୋରୋନା ଭୟ;ଫୁଲବାଣୀ ଛାତ୍ରୀଙ୍କ ରକ୍ତ ନମୁନା ନେଗେଟିଭ୍‌

କଟକ: ଏଯାବତ୍ ଓଡ଼ିଶାରେ କୋରୋନା ଭୟ ନ ଥିବା ଜଣାପଡିଛି । କାରଣ ଫୁଲବାଣୀ ଛାତ୍ରଙ୍କ ୫ ରକ୍ତ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି । ଏ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଏବେ ସୁଦ୍ଧା ୬ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ରିପୋର୍ଟ ନେଗେଟିଭ୍ ଆସିଛି । ଏବେ ଜଣେ ମହିଳା କୋରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ ହୋଇଥିବା ବେଳେ ତାଙ୍କ ରିପୋର୍ଟ ଆସିନାହିଁ।

ଅପରପକ୍ଷେ କରୋନାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ବେଡ୍ ଓ ମୁଖ୍ୟ ହସ୍ପିଟାଲ୍‌ରେ ୩୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏସ୍‌ସିବିରେ ଶଯ୍ୟା ସଂଖ୍ୟା ୮୪ରୁ ୧୫୦କୁ ବୃଦ୍ଧି କରାଯାଇଛି ।  ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ପକ୍ଷରୁ ସ୍କ୍ରିନି କରାଯିବା ସହ ଥର୍ମାଲ କ୍ୟାମେରା ଲାଗିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ସୂଚନାଯୋଗ୍ୟ, ସମ୍ପୃକ୍ତ ଛାତ୍ରଜଣକ ଚୀନ୍‌ରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ସେଠାରେ ସେ ୫ ବର୍ଷ ହେବ ରହି ଆସୁଥିବା ବେଳେ ଏବେ ସେ ଶେଷ ବର୍ଷର ଛାତ୍ର। ଚୀନରେ କରୋନା ବ୍ୟାପିବା ପରେ ସେ ଭାରତ ପଳାଇ ଆସିଥିଲେ। ଏଠାରେ ସେ ଥଣ୍ଡା, କାଶରେ ସଂକ୍ରମିତ ହେବା ପରେ କୋରୋନା ସନ୍ଦେହରେ ତାଙ୍କୁ ଏସ୍‌ସିବିରେ ଆଡମିଟ୍‌ କରାଯାଇ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।