ଶନିବାର ସ୍କୁଲରେ ‘ନୋ ବ୍ୟାଗ୍ ଡେ’

ବ୍ରହ୍ମପୁର: ଶନିବାର ବିଦ୍ୟାଳୟକୁ ବିଦ୍ୟାର୍ଥୀ ଆଣିବେ ନାହିଁ ସ୍କୁଲ ବ୍ୟାଗ୍ । ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ନୋ ବ୍ୟାଗ୍ ଡେ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଦର ମହକୁମା ଛତ୍ରପୁର ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ବ୍ରହ୍ମପୁରରେ ଜିଲ୍ଲା ଶିକ୍ଷାଧିକାରୀ ଏହାକୁ ବିଭିନ୍ନ ବିଦ୍ୟାଳୟରେ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ମୁଖ୍ୟତଃ ପିଲା ମାନେ ଅତ୍ୟଧିକ ଓଜନର ସ୍କୁଲ ବ୍ୟାଗ ନେଉଥିବାରୁ ସେମାନଙ୍କ ଶାରିରୀକ ସମସ୍ୟା ଦେଖାଦେଇଥାଏ ।

ଏହାକୁ କମାଇବା ପାଇଁ ଉଚ୍ଚତ୍ତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କ୍ରମେ କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପିଲା କେତେ ଓଜନର ବହିପତ୍ର ନେବେ ତାହା ସ୍ଥିର କରାଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲା ପ୍ରଶାସନ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଏଣିକି ପ୍ରତି ଶନିବାର ହେବ ନୋ ବ୍ୟାଗ ଡେ’। ଜିଲାରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଶନିବାର ସ୍କୁଲକୁ ବହି ଖାତା ଆଣିବେ ନାହିଁ । ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।

ପାରମ୍ପରିକ ଶିକ୍ଷା ବଦଳରେ ସେମାନଙ୍କୁ ଅଭିନବ ଶୈଳୀରେ ଶିକ୍ଷାଦାନ କରାଯାଇଛି । ମୁଖ୍ୟତଃ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ସହିତ ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ ହେବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି । ଏପରିକି ସାଧାରଣ ଜ୍ଞାନ ଠାରୁ ଆରମ୍ଭ କରି ଅନ୍ଧବିଶ୍ବାସରେ ବଶବର୍ତୀ ନହେବା, ନାରୀ ଶିକ୍ଷା ଓ ବାଲ୍ୟ ବିବାହ ଉପରେ ଶିକ୍ଷକ ମାନେ ବକ୍ତବ୍ୟ ରଖିବେ।

ପ୍ରାଥମିକ ପର୍ଯ୍ୟାୟରେ ଜିଲାର ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀ ସେମାନଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ୨୦ଟି ବିଦ୍ୟାଳୟକୁ ଏହି କାର‌୍ୟ୍ୟକ୍ରମ ପାଇଁ ଚୟନ କରାଯାଇଛି । ତେବେ ପରବର୍ତୀ ପର‌୍ୟ୍ୟାୟରେ ସଫଳତାର ସହ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ ।