ଏକାମ୍ର କ୍ଷେତ୍ର ପାଇଁ ବାଇ-ଲ ସ୍ଥଗିତ

ବାଇ-ଲ ସ୍ଥଗିତ ରଖିଲେ ହେବନି ପୁରା ପ୍ରତ୍ୟାହାର ହେଉ : ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ଵର  : ଏକାମ୍ର କ୍ଷେତ୍ର ପାଇଁ ସ୍ଥଗିତ ରହିଲା ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ବାଇ ଲ । ବହୁ ବାଦ ବିବାଦ ପରେ ଏହି ଡ୍ରାଫ୍ଟ ବାଇଲକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ସେ କହିଛନ୍ତି ବାଇଲ ଉପରେ କୌଣସି ନିଷ୍ପତ୍ତି ନନେଇ ଏହାକୁ ସ୍ଥଗିତ ରଖାଯିବା ସହ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ସଂପୃକ୍ତ ଅଧିକାରୀଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଶ୍ରୀକ୍ଷେତ୍ରରୁ ବାଇଲ ପ୍ରତ୍ୟାହାର ପରେ ଏକାମ୍ର କ୍ଷେତ୍ରରୁ ବାଇଲ ପ୍ରତ୍ୟାହାର ପାଇଁ ଦାବି ଜୋର ଧରିଥିଲା । ଏନେଇ ରାଜନୈତିକ ବୟାନ ବାଜି ବି ଚରମ ସୀମାରେ ପହଁଚିଥିଲା । ବାଇ-ଲ ସ୍ଥଗିତ ନେଇ କୌଣସି ଅଫିସିଆଲ କମୁନିକେସ ହୋଇନଥିବା ବେଳେ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ବାଇ-ଲ ସ୍ଥଗିତ ରହିଛି ବୋଲି କହିଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଏହାପରେ ବି ରାଜନୈତିକ ବୟାନବାଜି ବନ୍ଦ ହୋଇନି । ବାଇ-ଲ ସ୍ଥଗିତ ରଖିଲେ ହେବନି ପୁରାପୁରି ପ୍ରତ୍ୟାହାର ହେଉ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦାବି କରିଛନ୍ତି। ବାଇ-ଲ ପାଇଁ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ମନ୍ଦିରର ବିକାଶମୂଳକ କାର୍ଯ୍ୟ ରୋକିବାକୁ ଚେଷ୍ଟା ହେଉଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ବାଇ-ଲ ପ୍ରସଙ୍ଗରେ ରାଜ୍ୟରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଅଲଗା ଅଲଗା କଥା କହୁଥିବାବେଳେ ସାଂସଦ ଅପରାଜିତା ଆଉ ଗୋଟେ କଥା କହୁଛନ୍ତି । ଏନେଇ ବିଜେପି କଳି ସାମ୍ନାକୁ ଆସିଛି । ବିଜେପି କହିଛି ସମସ୍ତଙ୍କ ପାଇଁ ଯାହା ଭଲ ତାହା ହେବା ଉଚିତ୍।

ବାଇ-ଲ ପ୍ରତ୍ୟାହାର ପାଇଁ ବିଭନ୍ନ ମହଲରୁ ଦାବି ଉଠିବା ପରେ ବିଜେପି ପ୍ରତିନିଧି ଦଳ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଭେଟିଥିଲେ । ବିଜେଡି ସଂସଦୀୟ ଦଳ ବି କେନ୍ଦ୍ର ସଂସଦୀୟ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ଏନେଇ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପର୍ଯ୍ୟନ୍ତ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଥିଲେ।

nma by law was suspended for the ekam khetra