ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ ଯାଜପୁରର ଜଣେ ବ୍ୟକ୍ତି; ହେଲା ଚିହ୍ନଟ

ଯାଜପୁର: ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀକୁ ନେଇ ଏବେ ଚିନ୍ତାର କାରଣ ପାଲଟିଥିବାବେଳେ ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କର ଚିହ୍ନଟ ପାଇଁ ରାଜ୍ୟ ସରକାର ଜୋରସୋରରେ ପ୍ରସ୍ତୁତି ଜାରି ରଖିଛନ୍ତି । ଏହି ମଧ୍ୟରେ ଯାଜପୁରର ଜଣେ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗ ଦେଇଥିବା ନେଇ ଖବର ସାମ୍ନାକୁ ଆସିଛି । ଉକ୍ତ ବ୍ୟକ୍ତି ଜଣଙ୍କ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଶାସନ୍ଦା ଗ୍ରାମର ୫୦ ବର୍ଷୀୟ ବ୍ୟକ୍ତି । ଖବର ପାଇ ପୋଲିସ ତାଙ୍କୁ ବିଳମ୍ବିତ ରାତିରେ ଉଠାଇ ନେଇଥିବା ଜଣାପଡିଛି ।

ସେ ଗତ ୧୭ ତାରିଖରେ ଦିଲ୍ଲୀରୁ ବାହାରି ୧୯ ତାରିଖରେ ଘରେ ପହଂଚିଥିଲେ । ନିଜାମୁଦ୍ଦିନ ଫେରନ୍ତା ଜଣକ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିଥିବା ଜଣାଯାଇଛି । ପୁଣି ଧାର୍ମିକ ସମ୍ମିଳନୀରୁ ଫେରିଲା ପରେ ତାଙ୍କୁ ଥଣ୍ଡା ଓ ଜ୍ଵର ହୋଇଥିଲା । ପରେ ଔଷଧ ଖାଇ ଭଲ ହୋଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ତେବେ ବର୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି । ବିଞ୍ଝାରପୁର ତହସିଲଦାର ଅସ୍ମୀତା ଦାଶ, ଆଇଆଇସି ଶିବଚରଣ ବେହେରା ଓ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ରାତି ସାଢେ୧୨ଟାରେ ଶାସନ୍ଦା ଗ୍ରାମରେ ପହଂଚି ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାଯାଇଛି।

ଅନ୍ୟ ଏକ ଘଟଣାକ୍ରମରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅରୁଣ କୁମାର ପାତ୍ରଙ୍କୁ ଅଚାନକ ବଦଳି କରାଯାଇଛି ତାଙ୍କ ସ୍ଥାନରେ ଡା ସୁଧାଂଶୁ ଶେଖର ବଳ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।