ଶିରିଡ଼ି : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ନିର୍ବାଚନୀ ସଭାରେ ଅସୁସ୍ଥ ହୋଇପଡ଼ିଛନ୍ତି। ମହାରାଷ୍ଟ୍ରର ଶିରିଡ଼ି ଲୋକସଭା ଆସନ ପାଇଁ ଶିବସେନା ପ୍ରାର୍ଥୀ ସଦାଶିବ ଲୋଖାଣ୍ଡେଙ୍କ ସପକ୍ଷରେ ନିର୍ବାଚନ ପ୍ରଚାରବେଳେ ଶିରିଡ଼ି ନିକଟ ରାହାତାଠାରେ ଏଭଳି ଘଟିଛି। ଶନିବାର ସନ୍ଧ୍ୟାରେ ଭାଷଣ ଦେଇସାରି ସେ ମଞ୍ଚରୁ ଓହ୍ଲାଉଥିବାବେଳେ ହଠାତ୍ ଚେତା ହରାଇ ପଡ଼ିଯାଇଥିଲେ। ତାଙ୍କ ସୁରକ୍ଷାକର୍ମୀଙ୍କ ସହ ବିଜେପିର ଅହମ୍ମଦନଗର ପ୍ରାର୍ଥୀ ସୁଜୟ ଭିକେ ପାଟିଲ, ସଦାଶିବ, ମହାରାଷ୍ଟ୍ର ମନ୍ତ୍ରୀ ରାମ ସିନ୍ଧେ ପ୍ରମୁଖ ତାଙ୍କୁ ଉଠିବାରେ ସହାୟତା କରିଥିଲେ। ଅଳ୍ପ ସମୟ ମଧ୍ୟରେ ସେ ସୁସ୍ଥ ହୋଇ ଚାଲିଚାଲି ନିଜ ଗାଡ଼ି ନିକଟକୁ ଯାଇଥିଲେ। ପୂର୍ବରୁ ଗତ ଡିସେମ୍ବର ୭ରେ ମଧ୍ୟ ଗଡ଼କରୀ ଏଭଳି ଅସୁସ୍ଥ ହୋଇପଡ଼ିଥିଲେ। ରାହୁରି କୃଷି ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଥିବା ଗଡ଼କରୀ ମଞ୍ଚ ଉପରେ ଚେତା ହରାଇ ପନି ଯାଇଥିଲେ। ତାଙ୍କ ଶରୀରରେ ଶର୍କରାସ୍ତର ହ୍ରାସ ପାଇବାରୁ ଏଭଳି ଘଟିଥିଲା ବୋଲି ସେତେବେଳେ କୁହାଯାଇଥିଲା। ଏବେ ମଧ୍ୟ ସମାନ କାରଣରୁ ସେ ପଡ଼ିଯାଇଥିବା ପ୍ରକାଶ।
Prev Post
Next Post