ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟ ଟ୍ୟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସାରା ଦେଶରେ ଗୋଟିଏ ବୈଦ୍ୟୁତିକ ଟୋଲ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଅବସରପ୍ରାପ୍ତ ଜେନେରାଲ ଭି.କେ. ସିଂ ଓ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଜାତୀୟ ବୈଦ୍ୟୁତିକ ଟୋଲ ଆଦାୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଜାତୀୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ଆରଏଫଆଇଡି ଆଧାରିତ ଫାଷ୍ଟ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯାଉଛି । ତେବେ ରାଜ୍ୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ସାଧାରଣ ପଦ୍ଧତି କିମ୍ବା ଅନ୍ୟ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯାଏ । ଏହାଦ୍ୱାରା ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ ଫାଷ୍ଟ ଟ୍ୟାଗ’ ଅଧୀନକୁ ଆଣିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯାଉଛି । ଫଳରେ ସାରା ଦେଶରେ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ । ଏଥିପାଇଁ ଭାରତୀୟ ରାଜପଥ ପରିଚାଳନା ନିଗମ ଲିଃ (ଆଇଏଚଏମସିଏ) ପକ୍ଷରୁ ସମସ୍ତ ରାଜ୍ୟ ଓ ସହରର ଟୋଲ ପ୍ଲାଜାଗୁଡ଼ିକୁ ଫାଷ୍ଟ ଟ୍ୟାଗ ଅଧୀନରେ ସାମିଲ କରିବା ଲାଗି ସବୁ ରାଜ୍ୟକୁ ଯୋଜନା ଗାଇଡଲାଇନ ପ୍ରଦାନ କରାଯାଇଛି । ଆଧୁନିକ ଫାଷ୍ଟ ଟ୍ୟାଗ ବ୍ୟବସ୍ଥାରେ ୬୦ ଲକ୍ଷ ଟ୍ୟାଗକୁ ସାମିଲ କରାଯାଇପାରିବ ଏବଂ ଦୈନିକ ୧୦ ଲକ୍ଷ କାରବାର ହୋଇପାରିବ । ତେଣୁ ଏହି ବୃହତ ବ୍ୟବସ୍ଥା ମଧ୍ୟକୁ ଯଥାଶୀଘ୍ର ରାଜ୍ୟ କର୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକୁ ଆଣିବା ଲାଗି ଯୋଜନାରେ ବ୍ୟବସ୍ଥା ରହିଛି ।

ଏହି ଯୋଜନା ଅନ୍ତର୍ଗତ ଆଇଏଚଏମସିଏଲ ପକ୍ଷରୁ ରାଜ୍ୟଗୁଡ଼ିକୁ ବୈଦ୍ୟୁତିକ ଟୋଲ ଆଦାୟ ଭିତିଭୂମି ନିର୍ମାଣ ଲାଗି ୫୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପ୍ରତ୍ୟେକ ଦୁଇ ଲେନ ବିଶିଷ୍ଟ ଟୋଲ ପ୍ଲାଜା ପାଇଁ ସର୍ବାଧିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସହିତ ବୈଦ୍ୟୁତିକ ଟୋଲ ଆଦାୟ କାର୍ଯ୍ୟକ୍ରମ ପରିଚାଳନା ଦେୟର କିଛି ଅଂଶ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ଆଜି ଆଇଏଚଏମସିଏଲ ପକ୍ଷରୁ କେତେକ ରାଜ୍ୟ/କର୍ତୃପକ୍ଷଙ୍କ ସହିତ ଫାଷ୍ଟ ଟ୍ୟାଗ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ବୁଝାମଣା ସ୍ୱାକ୍ଷର କରାଯାଇଛି । ଚଳିତ ବର୍ଷ ଡିସେମ୍ବର ପହିଲା ଠାରୁ ସମସ୍ତ ଜାତୀୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ଫାଷ୍ଟ ଟ୍ୟାଗ ଜରିଆରେ ଟୋଲ ଆଦାୟକୁ ବାଧ୍ୟତାମୂଳକ କରାଯିବ । ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସେହିପରି ଫାଷ୍ଟ ଟ୍ୟାଗ ସହିତ ଇ-ୱେ ବିଲ ବ୍ୟବସ୍ଥାକୁ ଯୋଡ଼ିବା ଲାଗି ଆଇଏଚଏମସିଏଲ ଏବଂ ଜିଏସଟି ନେଟୱାର୍କ (ଜିଏସଟିଏନ) ମଧ୍ୟରେ ଆଉ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ବସ୍ତୁ ଓ ସେବା କର (ଜିଏସଟି) ଇ-ୱେ ବିଲ (ଇଡବ୍ଲ୍ୟୁବି) ବ୍ୟବସ୍ଥାକୁ ଖୋଜିବା ଓ ଠାବ କରିବା କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଦୂର କରିବା ଏବଂ ଅନୁଧ୍ୟାନ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏହା କରାଯାଇଛି । ଏପ୍ରିଲ ୨୦୨୦ ଠାରୁ ସର୍ବଭାରତୀୟ ସ୍ତରରେ ଏହାକୁ ବାଧ୍ୟତାମୂଳକ କରାଯିବ । ଯାହାଫଳରେ ଜିଏସଟି ୱେ-ବିଲ ଖୋଜିବା ଓ ଠାବ କରିବା ବ୍ୟବସ୍ଥା ଅଧିକ ଦକ୍ଷ ହୋଇପାରିବ । ଏହାଛଡ଼ା ଟୋଲ ପ୍ଲାଜା ଗୁଡ଼ିକରେ ରାଜସ୍ୱ ଠକେଇକୁ ଧରିବା ସହଜ ହେବ । ଏହି ସଂଯୋଗ ଫଳରେ ରାଜସ୍ୱ ଆଦାୟ କର୍ତୃପକ୍ଷ ସାମଗ୍ରୀ ପରିବହନ କରୁଥିବା ବାହନଗୁଡ଼ିକ ସଠିକ୍ ଲକ୍ଷ୍ୟପଥରେ ଯାଉଛନ୍ତି କି ନାହିଁ ଧରିବା ଲାଗି ସକ୍ଷମ ହୋଇପାରିବେ ।

ପ୍ରତ୍ୟେକ ଟୋଲ ପ୍ଲାଜା ନିକଟରୁ ମିଳୁଥିବା ଏସଏମଏସ ଆଲର୍ଟ ଜରିଆରେ ଯୋଗାଣକାରୀ ଏବଂ ପରିବହନକାରୀ ସେମାନଙ୍କ ବାହନକୁ ଠାବ କରିବାରେ ସକ୍ଷମ ହେବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ ବ୍ୟାପକ ସ୍ତରରେ ପରିବହନ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଆସୁଛନ୍ତି । ଦେଶବ୍ୟାପୀ ଗୋଟିଏ ଆନ୍ତଃପରିଚାଳିତ ଆରଏଫଆଇଡି ଆଧାରିତ ଟ୍ୟାଗ ବ୍ୟବସ୍ଥା ଏ ଦିଗରେ ଏକ ବୃହତ ପଦକ୍ଷେପ । ଏହି ବ୍ୟବସ୍ଥା ଜରିଆରେ ଗୋଟିଏ ପ୍ରକାରର ଫାଷ୍ଟ ଟ୍ୟାଗ ବାହନର ଝରକା କାଚରେ ଲଗାଯିବ । ଏହାରି ମାଧ୍ୟମରେ ଦେଶବ୍ୟାପୀ ସମସ୍ତ ଟୋଲ ପ୍ଲାଜାରେ ଟୋଲ ପଇଠ କରାଯାଇପାରିବ । ଏହି ପଦକ୍ଷେପ ଦ୍ୱାରା ବ୍ୟବସ୍ଥାଗତ ବାଧା ଦୂର ହେବା ସହିତ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ । ଏଥିସହିତ ଟୋଲ ଫି’ ଆଦାୟ ପ୍ରକ୍ରିୟା ଅଧିକ ପ୍ରଭାବୀ ହୋଇପାରିବ । ସେ ଆହୁରି କହିଥିଲେ ଯେ ଏହା ଦେଶର ଜିଡିପି କ୍ଷତି ମଧ୍ୟ ହ୍ରାସ କରିବ । କାରଣ ଟୋଲ ପ୍ଲାଜାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଯୋଗୁ ହେଉଥିବା ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଏହି ପଦକ୍ଷେପ ସମୟ ବଂଚାଇବା ସହିତ ପ୍ରଦୂଷଣ ମଧ୍ୟ କମାଇବ । ଖୁବଶୀଘ୍ର ଦେଶର କୌଣସି ଟୋଲ ପ୍ଲାଜାରେ କାହାରିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ଟୋଲ ପଇଠ କରିବା ବ୍ୟତୀତ ଇନ୍ଧନ ଭରିବା ଫି’, ପାର୍କିଂ ଫି’ ଆଦି ପାଇଁ ଫାଷ୍ଟ୍ୟାଗ ବ୍ୟବସ୍ଥାର ଉପଯୋଗ କରାଯିବା ଲାଗି ଚିନ୍ତା କରାଯାଉଥିବା ମନ୍ତ୍ରୀ କହିଥିଲେ । ବର୍ତମାନ ନ୍ୟାସନାଲ ପେମେଂଟ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) କେନ୍ଦ୍ରୀୟ ପଇଠ ସଂସ୍ଥା ଭାବେ କାର୍ଯ୍ୟ କରୁଛି ଏବଂ ୧୩ଟି ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଫାଷ୍ଟ ଟ୍ୟାଗ ଜାରି କରୁଛନ୍ତି । ଫାଷ୍ଟ ଟ୍ୟାଗ ଉପଯୋଗ କରିବା ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ସଡ଼କ ଉପଯୋଗକାରୀମାନଙ୍କୁ ୨.୫%ର କ୍ୟାସବ୍ୟାକ ସୁବିଧା ଦିଆଯାଉଛି । ଏବେ ସୁଦ୍ଧା ଦେଶର ୪୯୦ଟି ଜାତୀୟ ରାଜପଥ ଟୋଲ ପ୍ଲାଜା ଏବଂ ବଛାବଛା ୩୯ରୁ ଊଦ୍ଧ୍ୱର୍ ରାଜ୍ୟ ରାଜପଥ ଟୋଲ ପ୍ଲାଜାରେ ଫାଷ୍ଟ୍ୟାଗ ବ୍ୟବସ୍ଥା ହୋଇଛି । ଗତମାସ ଶେଷ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଫାଷ୍ଟ ଟ୍ୟାଗ ଜାରି କରାଯାଇସାରିଛି ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଠାରୁ ବୈଦ୍ୟୁତିକ ପଦ୍ଧତିରେ ୧୨,୮୫୦ କୋଟିରୁ ଅଧିକ ଟୋଲ ଆଦାୟ କରାଯାଇସାରିଲାଣି । ସେପ୍ଟେମ୍ବର ୨୦୧୯ରେ ୫୫୪୦.୬୭ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ପରିମାଣର ସଫଳ ବୈଦ୍ୟୁତିକ ଟୋଲ ଆଦାୟ ହୋଇଛି । ଆଇଏଚଏମସିଏଲ ଏବଂ ଏନଏଚଏଆଇ ମିଳିତ ଭାବେ ଫାଷ୍ଟ ଟ୍ୟାଗ ମୋବାଇଲ ଆପର ବିକଶିତ କରିଛନ୍ତି ଯାହାକି ହାତ ପାଆନ୍ତାରେ ଉପଭୋକ୍ତାଙ୍କୁ ଫାଷ୍ଟ ଟ୍ୟାଗ ସୁବିଧା ଦେଉଛି । ଏହା ଉପଭୋକ୍ତାଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଂଟ ସହ ଫାଷ୍ଟ ଟ୍ୟାଗ ବ୍ୟବସ୍ଥାକୁ ଯୋଡ଼ିବାର ସୁବିଧା ଦେଉଛି । ଆଜି ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ ପ୍ରିପେଡ ୱାଲେଟର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଏଥିରେ ମଧ୍ୟ ବ୍ୟାଙ୍କ ଆକାଉଂଟ ସହ ଫାଷ୍ଟ ଟ୍ୟାଗ ବ୍ୟବସ୍ଥାକୁ ଯୋଡ଼ି ଆଗୁଆ ଦେୟ ପଇଠ କରିବାର ସୁବିଧା ରହିଛି ।