ଶିକ୍ଷା ବ୍ୟବସ୍ଥାରେ ୫-ଟିକୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଟ୍ରାନଫର୍ମେସନ, ଟେକ୍ନୋଲୋଜି, ଟିମ୍‍ୱାର୍କ, ଟ୍ରାନ୍ସପରାନ୍ସି ଏବଂ ଟାଇମ୍‍ଲାଇନ୍‍ (୫-ଟି)କୁ ନୀତି ଆୟୋଗ ପ୍ରଶଂସା କରିବା ସହିତ ଏହାଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥିବା ନେଇ ଟୁଇଟ୍‍ କରିଛନ୍ତି । ନୀତି ଆୟୋଗ ପକ୍ଷରୁ ଟୁଇଟ୍‍ କରି ଦର୍ଶାଯାଇଛି ଯେ ୫-ଟି କାର୍ଯ୍ୟକାରୀ ଦ୍ୱାରା ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଏହାଦ୍ୱାରା ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବାର ମାନ ବଢିବା ସହିତ ବିଦ୍ୟାଳୟରେ ଶୈଖିକ ପରିବେଶ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଭାବରେ ଶିକ୍ଷାଲାଭ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଦେଶର ସର୍ବୋଚ୍ଚ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ନୀତି ଆୟୋଗ ୫-ଟିକୁ ଏଭଳି ପ୍ରଶଂସା କରିବାପରେ ଏବେ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧିଙ୍କ ପାଇଁ ଚେତାବନୀ ହୋଇଛି । କାରଣ ପ୍ରଶାସନରେ ସ୍ୱଚ୍ଛତା ଆଣିବା ସହିତ ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି କାର୍ଯ୍ୟକାରୀ ହେଉଥିବାବେଳେ ଏହାକୁ ଭଣ୍ଡୁର କରିବାପାଇଁ ବିରୋଧିମାନେ ପ୍ରତିଦିନ ଉଦ୍ୟମ ଜାରି ରଖିଛନ୍ତି । ଆଜି ୫-ଟିକୁ ନୀତି ଆୟୋଗର ପ୍ରଶଂସା ସେମାନଙ୍କ ଆଖି ଖୋଲିଦେବ ବୋଲି କୁହାଯାଉଛି ।