ନିତି ଆୟୋଗର ୫ମ ବୈଠକ : ୨୦୨୪ ସୁଦ୍ଧା ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାର ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନିତି ଆୟୋଗର ୫ମ ବୈଠକ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ବୈଠକରେ ମୋଦୀ କହିଥିଲେ, ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ’ ମନ୍ତ୍ର ପୂରା କରିବାରେ ନିତି ଆୟୋଗର ବିଶେଷ ଭୂମିକା ରହିଛି । ୨୦୨୪ ସୁଦ୍ଧା ଦେଶର ଅର୍ଥ ବ୍ୟବସ୍ଥା ୫ ଟ୍ରିଲିୟନ ଡଲାର (୩୫୦ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚାଇବା ଲକ୍ଷ୍ୟ ସହଜ ନ ହେଲେ ମଧ୍ୟ ଅସମ୍ଭବ ନୁହେଁ । ରାଜ୍ୟଗୁଡ଼ିକ ସହଯୋଗରେ ଏହି ଲକ୍ଷ୍ୟ ହାସଲ କରିହେବ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆୟ ବୃଦ୍ଧି କରିବାକୁ ହେଲେ ରପ୍ତାନିର ବିଶେଷ ଭୂମିକା ରହିଛି । ରାଜ୍ୟଗୁଡ଼ିକ ଏଥିପ୍ରତି ଧ୍ୟାନ ଦେବା ଦରକାର । ନୂଆ ଜଳଶକ୍ତି ମନ୍ତ୍ରଣାଳୟ ଜଳସେଚନ କ୍ଷେତ୍ରରେ ବିଶେଷ ଅବଦାନ ଦେଇପାରିବ । କେନ୍ଦ୍ର ସରକାର ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣିତ କରିବା ଲାଗି ସଂକଳ୍ପବଦ୍ଧ । ପଶୁ ପାଳନ, ମତ୍ସ୍ୟଚାଷ, ଫଳ ଓ
ପନିପରିବା ଉତ୍ପାଦନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ପିଏମ୍-କିଷାନ, କିଷାନ ସମ୍ମାନ ନିଧି ଏବଂ ଅନ୍ୟ ଯୋଜନାର ଲାଭ କୃଷକଙ୍କ ନିକଟରେ ପହଞ୍ଚାଇବା ସୁନିଶ୍ଚିତ କରିବାକୁ ହେବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ରଖାଯାଇଥିବା ଲକ୍ଷ୍ୟ ସମ୍ପର୍କରେ ମୋଦି ମତ ରଖିଥିଲେ । ସେ କହିଲେ, ଦେଶରୁ ଯକ୍ଷ୍ମା ରୋଗ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ଉଦ୍ୟମ କରାଯିବ । ଆମେ ଇତିମଧ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ପିଏମ୍ଜେଏୱାଇ କାର୍ଯ୍ୟକାରୀ କରିଛୁ । ନିତି ଆୟୋଗ ବୈଠକରେ ସମସ୍ତ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଯୋଗଦେଇ ସେମାନଙ୍କ ମତ ରଖିଥିଲେ । ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଯୋଗ ଦେଇନଥିଲେ ।