ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କ ଦେହାନ୍ତ

ମୁମ୍ବାଇ: ଦୃଶ୍ୟମ ଭଳି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବଲିଉଡ ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା। ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏଠାରେ ସେ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିଲେ। ନିଶିକାନ୍ତଙ୍କ ଲୀଭର ସମସ୍ୟା ଥିଲା। ଏହା ଅଧିକ ଖରାପ ହେବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଏହି କାରଣରୁ ତାଙ୍କୁ ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ନିଶିକାନ୍ତଙ୍କ ମୃତ୍ୟୁ ଖବରକୁ ବଲିଉଡ ଅଭିନେତା ରିତେଶ ଦେଶମୁଖ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ତମକୁ ବହୁତ ମିସ କରିବି ମୋ ବନ୍ଧୁ। ନିଶିକାନ୍ତ କାମାତ ରେଷ୍ଟ ଇନ ପିସ୍‌। ଅଜୟ ଦେବଗାନ ମଧ୍ୟ ଟ୍ୱିଟ ଯୋଗେ ନିଶିକାନ୍ତଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି। ନିଶିକାନ୍ତ ଦୃଶ୍ୟମ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଅଜୟ ଦେବଗାନ ଓ ତବୁ ରହିଥିଲେ। ଏହା ବକ୍ସ ଅଫିସରେ ବେଶ କମାଲ କରିଥିଲା।

ଅଗଷ୍ଟ ୧୧ରେ କାମାତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଥିଲା। ଏହାପରେ ହସ୍ପିଟାଲରୁ ଜାରି ବିବୃତିରେ କୁହାଯାଇଥିଲା ଯେ ୩୧ ଜୁଲାଇରୁ କାମାତ ଲୀଭର ସମସ୍ୟା ଯୋଗୁ ଏଠାରେ ଭିର୍ତ୍ତି ହୋଇଛନ୍ତି। ତାଙ୍କୁ ଆଇସିୟୁରେ ରଖାଯାଇଛି। ହେଲେ ଆଜି ଅପରାହ୍ନ ୪.୨୬ରେ ତାଙ୍କର ଦେହାନ୍ତ ଖବର ମିଳିବା ପରେ ପୂରା ବଲିଉଡରେ ଶୋକର ଚ୍ଛାୟା ଖେଳି ଯାଇଛି।

ଦୃଶ୍ୟମ ବ୍ୟତୀତ କାମାତ ମଦାରି, ମୁମ୍ବାଇ ମେରି ଜାନ ଭଳି ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏକାଧିକ ମରାଠୀ ଫିଲ୍ମରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୦୫ରେ ମରାଠୀ ଫିଲ୍କ Dombivali Fastରେ କାମାତ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ଏହା ସୁପର ଡୁପର ହିଟ୍‌ ସାବ୍ୟସ୍ତ ହୋଇଥିଲା। ୨୦୦୬ରେ ଏଥିପାଇଁ ତାଙ୍କୁ ନ୍ୟାଶନାଲ ଫିଲ୍ମ ପୁରସ୍କାର ମିଳିଥିଲା।