ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଅକ୍ଷୟ ଠାକୁର ଦେଇଥିବା ପୁନର୍ବିଚାର ଆବେଦନର ଶୁଣାଣି ୧୭ ତାରିଖରେ ହେବ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ । ଏହି ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ୪ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯିବ । ତେବେ ସମୟ ପାଖେଇ ଆସୁଥିବାବେଳେ ଅଭିଯୁକ୍ତ ଅକ୍ଷୟଙ୍କ ପୁନର୍ବିଚାର ଆବେଦନରେ ସୁପ୍ରିମକୋର୍ଟଙ୍କ ରାୟ କ’ଣ ରହିବ ତାହା ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀ ସ୍ଥିତ ତିହାର ଜେଲ୍କୁ ଉତ୍ତରପ୍ରଦେଶରୁ ୨ ଜଣ ଘାତକ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତରପ୍ରଦେଶରେ ଜେଲ୍ ବିଭାଗ ନିକଟକୁ ଗତ ନଭେମ୍ବର ୯ ତାରିଖରେ ତିହାର ପ୍ରଶାସନରୁ ଏକ ଚିଠି ଆସିଛି ବୋଲି ଏଡିଜି (ଜେଲ୍) ଆନନ୍ଦ କୁମାର ସା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ତିହାର ଜେଲ୍ ପ୍ରଶାସନ ଦ୍ୱାରା ଯେଉଁ ଚିଠି ଦିଆଯାଇଛି ସେଥିରେ ଫାଶୀ ସଂକ୍ରାନ୍ତରେ କିଛି ଦର୍ଶାଯାଇନଥିବା ଜଣାପଡ଼ିଛି। ତିହାର ଜେଲ୍ କର୍ତୃପକ୍ଷ ବିହାରର ଏକ ଜେଲ୍କୁ ଦଉଡ଼ି ପ୍ରସ୍ତୁତ କରିବାପାଇଁ କହିଥିବା ଜଣାପଡ଼ିଛି।
କର୍ତୃପକ୍ଷ ବକ୍ସାର ଜେଲ୍ରୁ ୧୦ଟି ନୂଆ ଦଉଡ଼ି ଅର୍ଡର କରିଛନ୍ତି। ଦୋଷୀମାନଙ୍କୁ ଏହି ଦଉଡ଼ିରେ ଫାଶୀ ଦିଆଯିବ ବୋଲି କୁହାଯାଉଛି। ୨୦୧୨ ଡିସେମ୍ବର ୧୬ ତାରିଖରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣ ଦୋଷୀସାବ୍ୟସ୍ତ ହୋଇଥିଲେ। ୬ ଜଣ ଦୋଷୀଙ୍କ ମଧ୍ୟରୁ ରାମ ସିଂହ ତିହାର ଜେଲ୍ରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟଜଣେ ନାବାଳକ ଦୋଷୀକୁ ୩ ବର୍ଷ ପାଇଁ ଥଇଥାନ କେନ୍ଦ୍ର ପଠାଯାଇଛି। ଅନ୍ୟ ୪ ଜଣ ଦୋଷୀ ହେଲେ ପବନ ଗୁପ୍ତା, ଅକ୍ଷୟ ଠାକୁର, ମୁକେଶ ସିଂହ ଏବଂ ବିନୟ ଶର୍ମା।