ବ୍ୟାଙ୍କର ମହାମିଶ୍ରଣରେ କର୍ମଚାରୀଙ୍କ ଚାକିରି ଯିବ ନାହିଁ: ସୀତାରମଣ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ  ବ୍ୟାଙ୍କର ମହାବିଲୟରେ କର୍ମଚାରୀଙ୍କ ଚାକିରି ଯିବାର ବିପଦ ନେଇ ହେଉଥିବା ଚିନ୍ତାକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କର ମିଶ୍ରଣରେ କୌଣସି ଜଣେ ହେଲେ କର୍ମଚାରୀଙ୍କ ଚାକିରି ଯିବ ନାହିଁ। 

ସୀତାରମଣ ଚାକିରି ଚାଲିଯିବା  ବ୍ୟାଙ୍କ ୟୁନିୟନଙ୍କ ଚିନ୍ତା ବିଷୟରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଏହା ସବୁ ତଥ୍ୟହୀନ କଥା। ମୁଁ ସମସ୍ତ ବ୍ୟାଙ୍କର ୟୁନିୟନ ଏବଂ କର୍ମଚାରୀଙ୍କୁ ଆଶ୍ଵସ୍ତ କରିବାକୁ ଚାହୁଁଛି ଯେ ସେମାନେ ଶୁକ୍ରବାଦ ଦିନ ମୁଁ କହିଥିବା କଥାକୁ ମନେ ପକାନ୍ତୁ। ବ୍ୟାଙ୍କର ବିଲୟ କଥା କହୁଥିବା ସମୟରେ ମୁଁ ସ୍ପଷ୍ଟ ଭାବେ କହିଥିଲି ଯେ କୌଣସି ବି କର୍ମଚାରୀଙ୍କୁ  ଚାକିରିରୁ ହଟାଯିବ ନାହିଁ।

ଅର୍ଥମନ୍ତ୍ରୀ ସୀତାରମଣ ଶୁକ୍ରବାର ୧୦ ସରକାରୀ ବ୍ୟାଙ୍କର ବିଲୟ କରି ଚାରୋଟି ବଡ଼ ବ୍ୟାଙ୍କ କରିବାକୁ ଘୋଷଣା କରିଥିଲେ। ଏହା ମୁତାବକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, କାନାରା ବ୍ୟାଙ୍କରେ ସିଣ୍ଡିକେଟ୍ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କରେ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ହେବ। ଏହି ମିଶ୍ରଣ ପରେ ଦେଶରେ ବ୍ୟାଙ୍କ ସଂଖ୍ୟା ୨୭ରୁ ହ୍ରାସ ପାଇ ମୋଟ୍ ୧୨ ରହିବ।