ନିର୍ଭୟା ଦୋଷୀଙ୍କୁ କ୍ଷମା ଦିଅ ପାଇଁ କହିଲେ ଓକିଲ ଇନ୍ଦିରା; ରାଗିଲେ ଆଶା ଦେବୀ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀ ଆଉ କିଛିଦିନ ପରେ ଫାଶୀ ପାଇବେ । ତେବେ ଏହାକୁ ନେଇ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବା ପାଇଁ ଆଶା ଦେବୀଙ୍କୁ କହିଛନ୍ତି । ଯାହାକୁ ନେଇ ନିର୍ଭୟାଙ୍କର ମା’ ଅର୍ଥାତ୍ ଆଶା ଦେବୀ ଖୁବ୍ ଜୋରରେ ରାଗି ଯାଇଛନ୍ତି ।

ଜବାବରେ ସେ କହିଛନ୍ତି, ପରାମର୍ଶ ଦେବାକୁ ଇନ୍ଦିରା କିଏ? ସମସ୍ତ ଦୋଷୀଙ୍କୁ ଫାଶୀ ହେଉ ବୋଲି ସାରା ଦେଶ ଚାହୁଁଛି। ଏଭଳି କିଛି ଲୋକଙ୍କ ପାଇଁ ସାରା ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି। ଭଗବାନ କହିଲେ ମଧ୍ୟ ମୁଁ କ୍ଷମା ଦେବିନି ବୋଲି ନିର୍ଭୟାଙ୍କ ମା’ କହିଛନ୍ତି।

ଶୁକ୍ରବାର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉଦାହରଣ ଦେବାକୁ ଯାଇ କହିଥିଲେ, ‘ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧି କ୍ଷମା ଦେଇଛନ୍ତି। ଏହି ଭାବରେ ନିର୍ଭୟାଙ୍କ ମା’ ମଧ୍ୟ କ୍ଷମା ଦେବା ଦରକାର’।

ଯାହାର ଜବାବ ଦେଇ ଆଶା ଦେବୀ କହିଛନ୍ତି, ‘ମୋର ବିଶ୍ୱାସ ହେଉନି। ଏଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟ ସିଂହଙ୍କର କେମିତି ସାହାସ ହେଉଛି? ସୁପ୍ରିମକୋର୍ଟରେ ଅନେକ ଥର ତାଙ୍କ ସହ ଏହି ମାମଲାରେ ଦେଖା ସାକ୍ଷାତ ହୋଇଛି। ହେଲେ କେବେ ମୋର ହାଲଚାଲ ବାବଦରେ ପଚାରି ନାହାନ୍ତି। ଆଉ ଏବେ ଏଭଳି ପରାମର୍ଶ ଦେବାକୁ ସାହାସ କେମିତି ହେଲା? ଏଭଳି ବ୍ୟକ୍ତି ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ନିଜ ଜୀବିକାକୁ ବଂଚାଇ  ରଖୁଛନ୍ତି। ଏଥିପାଇଁ ଦୁଷ୍କର୍ମ ଘଟଣାରେ ରୋକ୍ ଲାଗୁନି’।

ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା କରିଛନ୍ତି। ଜାନୁଆରୀ ୨୨ ଫାଶୀ ଦିଆଯିବାର ତାରିଖ ଉପରେ ରୋକ୍ ଲାଗିବା ପରେ କୋର୍ଟ ନୂଆ ଡେଥ୍ ୱାରେଂଟ ଜାରି କରିଛନ୍ତି। ଆସନ୍ତା ଫେବୃଆରୀ ୧ ତାରିଖରେ ୪ ଜଣ ଦୋଷୀ ଫାଶୀ ଖୁଂଟରେ ଝୁଲିବେ। ସେହିଦିନ ସକାଳ ୬ଟା ବେଳକୁ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ।